ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ 100 କୋଟି ଟଙ୍କା ପ୍ରଦାନ କଲା ଓଡ଼ିଶା ଖଣି ନିଗମ । ଏହି ଟଙ୍କା ହରିଶ୍ଚନ୍ଦ୍ର ଓ ମହାପ୍ରୟାଣ ଯୋଜନା ପାଇଁ ସିଏମଆରଏଫରୁ ଖର୍ଚ୍ଚ କରାଯିବ । ସିଏସଆର ପାଣ୍ଠି ବାବଦକୁ ଓଏମସି ସିଏମଆରଏଫକୁ ଏହି ଅର୍ଥ ପ୍ରଦାନ କରିଛି । ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଅର୍ଥ ରାଶି ସମ୍ବଳିତ ଚେକ ପ୍ରଦାନ କରିଛନ୍ତି ।
ହରିଶ୍ଚନ୍ଦ୍ର ଯୋଜନା ଅଧୀନରେ ଗରିବ ଏବଂ ଅସହାୟ ଲୋକମାନେ ସହାୟତା ପାଇଥାନ୍ତି । ମୃତକଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ସେହିପରି ମହାପ୍ରୟାଣ ଯୋଜନାରେ ମରଶରୀରକୁ ମୃତ୍ୟୁ ସ୍ଥାନରୁ ନିଜର ବାସସ୍ଥାନ ପର୍ଯ୍ୟନ୍ତ ନେବା ପାଇଁ ସହାୟତା ପ୍ରଦାନ କରାଯାଉଛି । ଏଥିରେ ମହାପ୍ରୟାଣ ଗାଡିରେ ମାଗଣାରେ ମୃତଦେହ ପହଞ୍ଚାଯାଏ । ଖଣି ଓ ଇସ୍ପାତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚେକ ପ୍ରଦାନ କରିବା ବେଳେ ଓଏମସି ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଓଏମସିର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଏବଂ ଓଏମସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।