ଭୁବନେଶ୍ବର: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଶେଷ କରିଛନ୍ତି । ତିନି ଦିନିଆ ଗସ୍ତ ଅବସରରେ ସେ ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି । ଜୁନ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିଲେ । ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ଯାଇ ଓମ୍ବାଡସି ସହାୟତାରେ ଚାଲିଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହ ଏହାର ଅଗ୍ରଗତିକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାରେ ୨୦୧୮ ମସିହା ପରଠାରୁ ଓମ୍ବାଡସି ପାଣ୍ଠି ସହାୟତାରେ ୭ଟି ପ୍ରମୁଖ କ୍ଷେତ୍ରରେ ୩୬ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏଗୁଡ଼ିକର ମୋଟ ବ୍ୟୟ ଅଟକଳ ହେଉଛି ୫୭୦୯.୯୨ କୋଟି ଟଙ୍କା । ତା’ ମଧ୍ୟରେ ମୁଖ୍ୟତଃ ପାନୀୟ ଜଳ ପାଇଁ ୬୧ ପ୍ରତିଶତ, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୭ ପ୍ରତିଶତ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୬ ପ୍ରତିଶତ ଅର୍ଥ ବିନିଯୋଗ କରାଯାଉଛି । ପ୍ରଥମ ଦିନରେ ଜଷ୍ଟିସ ପଟ୍ଟନାୟକ ତକତପୁର ବୈଷୟିକ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଥିଲେ । କେନ୍ଦ୍ରର ଉନ୍ନତିକରଣ କରାଯାଇ ଏହାକୁ ସେଣ୍ଟର ଅଫ ଏକ୍ସଲେନ୍ସ କରିବା ଲାଗି ଓମ୍ବାଡସି ଆର୍ଥିକ ସହାୟତା ଯୋଗାଇ ଦେଉଛି । ସେଠାରେ ସେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ରହିଥିବା ବିଭିନ୍ନ ଅତ୍ୟାଧୁନିକ ମେସିନ ବୁଲି ଦେଖିଛନ୍ତି । କେନ୍ଦ୍ରରେ ଦିଆଯାଉଥିବା ବିଭିନ୍ନ ତାଲିମ ବିଷୟରେ ସେ ପ୍ରଶିକ୍ଷକଙ୍କଠାରୁ ପଚାରି ବୁଝିଛନ୍ତି ।
ସେହିପରି ବାରିପଦା ପୌରପାଳିକାରେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ମାଧ୍ୟମରେ ଲୋକଙ୍କ ଦୁଆର ମୁହଁରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଓମ୍ବାଡସି ପାଣ୍ଠି ସହାୟତାରେ କରାଯାଇଥିବା ଏହି ପ୍ରକଳ୍ପ ଦ୍ୱାରା ଲୋକମାନେ କିପରି ଉପକୃତ ହେଉଛନ୍ତି ସେ ନେଇ ଓଭରସାଇଟ ଅଥରିଟି ୨୫ ନମ୍ବର ୱାର୍ଡକୁ ଯାଇ ନିଜେ ଅନୁଧ୍ୟାନ କରିଛନ୍ତି । ଦ୍ୱିତୀୟ ଦିନରେ ସେ ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର, ଜଳ ଅମଳ ପ୍ରକଳ୍ପ, ମେଗା ନର୍ସରୀ, ପାନୀୟ ଜଳ ପ୍ରକଳ୍ପ, ୫-ଟି ଅଧୀନରେ ରୂପାନ୍ତରିତ ହାଇସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି । ବିଭିନ୍ନ ପ୍ରକଳ୍ପର ହିତାଧିକାରୀଙ୍କ ସହ ଜଷ୍ଟିସ ପଟ୍ଟନାୟକ କଥା ହୋଇ କାର୍ଯ୍ୟକ୍ରମର ସୁଫଳତା ବିଷୟରେ ପଚାରି ବୁଝିଛନ୍ତି ।