ଓଡିଶା

odisha

By ETV Bharat Odisha Team

Published : Nov 10, 2023, 1:30 PM IST

ETV Bharat / state

OMBADC ସହାୟତାରେ ଖଣି ପ୍ରଭାବିତ ଜିଲ୍ଲାରେ ଯୁବପିଢ଼ିଙ୍କ କରାଯିବ ଦକ୍ଷତା ବିକାଶ

OMBADC ସହାୟତାରେ ରାଉରକେଲା ସରକାରୀ ଆଇଟିଆଇ ଏବଂ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ପାଇଛି ନୂଆ ରୂପ । ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ‘OMBADC’ର ପ୍ରୋତ୍ସାହନ ଯୋଗାଇ ଦେଉଛି। ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ରାଉରକେଲା ସ୍ଥିତ ସରକାରୀ ଆଇଟିଆଇ ଏବଂ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ନୂଆ ରୂପ ପାଇଛି । ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (OMBADC) ସହାୟତାରେ ଏହି ଦୁଇଟି ତାଲିମ ଅନୁଷ୍ଠାନର ବିଭିନ୍ନ ଟ୍ରେଡ୍‌କୁ ଆଧୁନିକୀକରଣ କରାଯାଇଛି । ଫଳରେ ଛାତ୍ରଛାତ୍ରୀ ଶିଳ୍ପ ଉପଯୋଗୀ ତାଲିମ ନେଇ ବିଭିନ୍ନ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରିବେ । ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଥିବା ସରକାରୀ ଆଇଟିଆଇ ଓ ଇଞ୍ଜିନିୟରିଂ ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମି ବିକାଶ କାର୍ଯ୍ୟ ହାତକୁ ନେଇଛି OMBADC । ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଅଧୀନରେ ପରିଚାଳିତ ରାଉରକେଲା ସରକାରୀ ଆଇଟିଆଇ ଏବଂ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂର ଭିତ୍ତିଭୂମି ଉନ୍ନୟନ ସହ ତାଲିମ ପ୍ରଦାନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି ।

ଏହି କାର୍ଯ୍ୟକ୍ରମ ଯୋଗୁଁ ଛାତ୍ରଛାତ୍ରୀ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇପାରୁଛନ୍ତି । ୨୦୧୮ରୁ ୨୦୨୩ ଏହି ୫ ବର୍ଷ ଭିତରେ ରାଉରକେଲା ସରକାରୀ ଆଇଟିଆଇ ଓ ୟୁଜିଆଇଇରୁ ଅତ୍ୟାଧୁନିକ ତାଲିମ ନେଇ ପ୍ରାୟ ୨୫୦୦ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି । ରାଉରକେଲା ସରକାରୀ ଆଇଟିଆଇରେ ରହିଛି ମୋଟ ୨୪ଟି ଟ୍ରେଡ୍ । ଫିଟର, ଡିଜେଲ୍‌ ମେକାନିକ୍‌, ଇଲେକ୍ଟ୍ରିସିଆନ୍‌, ୱେଲଡର୍‌ ଏବଂ ମେସିନିଷ୍ଟ ଆଦି ପ୍ରମୁଖ ଅତ୍ୟାଧୁନିକ ଟ୍ରେଡ୍‌ରେ ତାଲିମ ନେଉଛନ୍ତି ପ୍ରାୟ ୨୧୦୦ ଛାତ୍ରଛାତ୍ରୀ । ଏହି କେନ୍ଦ୍ରରେ ଓମ୍ବାଡସି ସହାୟତାରେ ସ୍ମାର୍ଟ କ୍ଲାସରୁମ୍ ଓ ଆଇଟି ଲ୍ୟାବକୁ ଆଧୁନିକ ରୂପ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ITI କ୍ୟାମ୍ପସରେ ଉତ୍ତେଜନା, ଅଧ୍ୟକ୍ଷଙ୍କ ବଦଳି ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

ସେହିପରି ITI ପରିସରରେ ମଲ୍ଟିପର୍ପସ୍ ହଲ୍ ଓ କ୍ୟାଫେଟେରିଆ ଆଦି ବ୍ୟବସ୍ଥା କରାଯାଇଛି । ତା’ଛଡ଼ା ଆଡମିନିଷ୍ଟ୍ରେଟିଭ୍‌ ଓ ଏକାଡେମିକ୍ ବ୍ଲକ୍ ଏବଂ ବିଭିନ୍ନ ଟ୍ରେଡ୍ ପାଇଁ ଥିବା ସ୍ୱତନ୍ତ୍ର ଓ୍ୱାର୍କସପ୍‌ର ମଧ୍ୟ ଉନ୍ନତିକରଣ କରାଯାଇଛି । ସୌରଶକ୍ତି ବ୍ୟବସ୍ଥା, ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ, ପାର୍କିଂ ଓ ଖେଳପଡ଼ିଆର ଉନ୍ନତିକରଣ ସହିତ କଲେଜ ଓ ହଷ୍ଟେଲରେ ପାନୀୟଜଳ ଏବଂ ଶୌଚାଳୟର ସୁବିଧା ମଧ୍ୟ କରାଯାଇଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ବିକାଶ ହୋଇପାରୁଛି । ସୁନ୍ଦରଗଡ଼ ସହିତ ଅନ୍ୟ ଜିଲ୍ଲାର ଯୁବପିଢ଼ିଙ୍କ ପାଇଁ ରାଉରକେଲା ITI ପ୍ରମୁଖ ଆକର୍ଷଣ ପାଲଟିଛି । ବିଭିନ୍ନ ବିଷୟରେ ଏଠାରେ ତାଲିମ ଦେବା ପାଇଁ ଆଧୁନିକ ବ୍ୟବସ୍ଥା ରହିଛି । ଓମ୍ବାଡସିର ଆର୍ଥିକ ସହାୟତା ଯୋଗୁଁ ITI କେନ୍ଦ୍ରର ସାମଗ୍ରିକ ବିକାଶ ହୋଇପାରିଛି ବୋଲି କହିଛନ୍ତି ରାଉରକେଲା ITIର ଅଧ୍ୟକ୍ଷ ଡି.ଖୁରା।


ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂରେ ୭ଟି ବ୍ରାଞ୍ଚ୍‌ରେ ପ୍ରାୟ ୧୪ ଶହ ଛାତ୍ରଛାତ୍ରୀ ତାଲିମ ନେଉଛନ୍ତି । ମେଟାର୍ଲଜି, କେମିକାଲ୍‌ ଓ ସେରାମିକ ଇଞ୍ଜିନିୟରିଂ ଭଳି ଆଧୁନିକ ଟ୍ରେଡ୍‌ରେ ଶିକ୍ଷା ଦେବାରେ ଏହା ହେଉଛି ରାଜ୍ୟର ଏକମାତ୍ର ବୈଷୟିକ ଶିକ୍ଷାନୁଷ୍ଠାନ । ଓମ୍ବାଡସି ପାଣ୍ଠି ସହାୟତାରେ ନୂଆ ରୂପ ନେଇଛି ଏହି ଅନୁଷ୍ଠାନ । ତେବେ ଓମ୍ବାଡସି ସହାୟତାରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ସରକାରୀ ଆଇଟିଆଇ ଓ ଇଞ୍ଜିନିୟରିଂ ସ୍କୁଲଗୁଡ଼ିକରେ ଭିତିଭୂମିର ବିକାଶ ସହ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ଫଳରେ ରାଜ୍ୟ ତଥା ଦେଶ ବିଦେଶର ଶିଳ୍ପ ଦୁନିଆ ପାଇଁ ଦକ୍ଷ ମାନବ ସମ୍ବଳ ତିଆରି ହୋଇପାରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details