ଭୁବନେଶ୍ବର: ଓଡିଶା ଖଣିଜ ସମ୍ପଦ ଅଞ୍ଚଳ ବିକାଶ ନିଗମ (ଓମ୍ବାଡିସି)ର ୨୫ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ(ବୋର୍ଡ ଅଫ୍ ଡିରେକ୍ଟର୍ସ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ତଥା ଓମ୍ବାଡିସିର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଓମ୍ବାଡିସି ପାଣ୍ଠିରୁ ଆବଣ୍ଟିତ ଆର୍ଥିକ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଖର୍ଚ୍ଚ ସ୍ଥିତି ଅନୁଧ୍ୟାନ ସହ ପ୍ରକଳ୍ପ କାର୍ଯ୍ୟକାରିତାରେ ଗୁଣାତ୍ମକମାନ ବଜାୟ ରଖିବା ଉପରେ ସିଏସ ଗୁରୁତ୍ୱାରୋପ କରିଥିଲେ ।
ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ସଦସ୍ୟ ଓ ସଦସ୍ୟାମାନଙ୍କର ଉପସ୍ଥିତିରେ ଓମ୍ବାଡିସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜି.ରାଜେଶ ୨୦୨୨-୨୩ ବର୍ଷରେ ନିଗମର ଆର୍ଥିକ ସ୍ଥିତି ଉପସ୍ଥାପନ କରିଛନ୍ତି । ବିଭିନ୍ନ ବାବଦରେ ଅର୍ଥ ସଂଗ୍ରହ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଖର୍ଚ୍ଚ ଅନୁମୋଦନ ଓ ବିଭିନ୍ନ ବିଭାଗକୁ ଖର୍ଚ୍ଚ ଆବଣ୍ଟନ ପରିପ୍ରେକ୍ଷୀରେ ସେ ତଥ୍ୟ ରଖିଛନ୍ତି । ଖଣିଜ ଅଞ୍ଚଳରେ ବିଭିନ୍ନ କ୍ଷତିପୂରଣ ବାବଦରେ ସଂଗୃହିତ ଅର୍ଥ ପାଣ୍ଠିରୁ ପରିଷଦ ୨୦୧୯ ମସିହା ଏପ୍ରିଲରୁ ଅଦ୍ୟାବଧି ୧୭,୩୧୮.୦୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ଟି ବିଭାଗ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରସ୍ତାବ କ୍ରମେ ଏହି ଖର୍ଚ୍ଚ ଦିଆଯାଇଛି । ଆବଣ୍ଟିତ ଅର୍ଥରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଥିବା ୯,୧୮୧.୦୬ କୋଟି ଟଙ୍କାରୁ ୬,୨୨୭.୯୭ କୋଟି ଟଙ୍କା ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା, ପରିବେଶ ସୁରକ୍ଷା, ଗ୍ରାମ୍ୟ ସଡକ ଯୋଗାଯୋଗ, ଜୀବନଜୀବିକା, ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ବ୍ୟବସ୍ଥା ଭଳି ପ୍ରମୁଖ କାର୍ଯ୍ୟକ୍ରମ ଅନ୍ତଭୁକ୍ତ ରହିଛି ।
ମୟୂରଭଞ୍ଜ ଜିଲ୍ଲାର ୬୯୦ଟି ଗ୍ରାମରେ ଏକକ, ୭୮୭ଟିରେ ବହୁ-ଗ୍ରାମ(ମଲ୍ଟି ଭିଲେଜ) ଯୋଜନାରେ ଏବଂ ୧୪ଟି ପୌରାଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏ କ୍ଷେତ୍ରରେ ମୋଟ ୮୯୦୯ କୋଟି ଟଙ୍କା ବିନିଯୋଗ ହେବ । ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ‘୫ ଟି’ ଉପକ୍ରମ ଆଧାରରେ ୧୧୪୬ଟି ଉଚ୍ଚ ବିଦ୍ୟାଳୟକୁ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନୁଦାନ ଦିଆଯାଇଛି । ତନ୍ମଧ୍ୟରୁ ୧୦୮୮ଟିର ନିର୍ମାଣ କାର୍ଯ୍ୟ ସରିଛି । ତୃତୀୟ ପର୍ଯ୍ୟାୟରେ ଆଉ ୨୦୫ଟି ସ୍କୁଲ ରୂପାନ୍ତରୀକରଣ ପାଇଁ ଅନୁଷ୍ଠିତ ବୈଠକରେ ଅନୁମୋଦନ କରାଯାଇଛି । ଏଥି ପାଇଁ ୧୨୫.୪୬ କୋଟି ଟଙ୍କା ଖର୍ଚ୍ଚ ହେବ ।
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମଏମଏସପିଓ୍ୱାଇ)ରେ ୭୮ ଟି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପକୁ ୫୮୯.୪୬ କୋଟି ଟଙ୍କା ପ୍ରଦାନ ପାଇଁ ବୈଠକରେ ପ୍ରସ୍ତାବ ଆଗତ କରାଯାଇଛି । ଏହା ଦ୍ୱାରା ୧ ଲକ୍ଷ ୬୧ ହଜାର ୫୫୦ କିଶୋରୀ ବାଳିକା, ୧,୮୪,୦୦୦ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ୬୦୦୦ରୁ ଅଧିକ ଶିଶୁମାନଙ୍କ ପୁଷ୍ଟି ସାଧନରେ ଉପକୃତ ହେବେ । ଓମ୍ୱାଡିସି ମଧ୍ୟ ଖଣିଜ ସମ୍ପଦ ଥିବା ଜିଲ୍ଲାରେ ସରକାରୀ ଆଇଟିଆଇ ଓ ପଲିଟେକନିକକୁ ଉନ୍ନିତ କରି ସେସବୁକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ସହଯୋଗ ଦେଇଆସୁଛି । ଏହି କାର୍ଯ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କରୁଛି । ୧୬ଟି ଆଇଟିଆଇ ଓ ପଲିଟେକନିକ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟତମ ମହତ୍ୱାକାଂକ୍ଷା ପ୍ରକଳ୍ପ ଭାବେ ଓମ୍ବାଡିସି ପାଣ୍ଠିରେ କରାଯାଇଥିବା ବିଭିନ୍ନ ପୌରାଞ୍ଚଳ ଓ ବିଜ୍ଞପିତ ଅଞ୍ଚଳ ପରିଷଦରେ ୧୧ଟି ଇଣ୍ଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।