ଭୁବନେଶ୍ବର:କିଛି ଦିନର ନୀରବତା ପରେ ପୁଣି ଥରେ ଓଲିଉଡ଼ ବିବାଦକୁ ନେଇ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ଅଭିନେତା ମନୋଜ ମିଶ୍ର । ଏଥର ସିଧାସଳଖ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ଟାର୍ଗେଟ କରିଛନ୍ତି ମନୋଜ ମିଶ୍ର । ନିଜ ସୋସିଆଲ ମିଡ଼ିଆରେ ସେ ଅଭିନେତା ଅନୁଭବଙ୍କୁ କହିଛନ୍ତି ଲାଗୁଛି 'ତମେ ଓଡ଼ିଶାକୁ ଭାଗ ଭାଗ କରିକି ହିଁ ଛାଡିବ ।'
ମନୋଜ ମିଶ୍ର ନିଜ ଫେସ୍ବୁକ ପେଜ୍ରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, "Mr Anubhav Mohanty ମୁଁ ଭୁବନେଶ୍ବର ଛାଡ଼ି ସାରିଲିଣି, ତଥାପି ତମ ମନ ଶାନ୍ତି ହେଇନି । ଲାଗୁଛି ତମେ ଓଡ଼ିଶା କୁ ଭାଗ ଭାଗ କରିକି ହିଁ ଛାଡିବ । ଅଜୟ ପାଢ଼ୀ ସହିତ ଫିଲ୍ମ କରୁଛ ଯଦି ଫିଲ୍ମ କର, ତା ସହିତ ମିଶିକି ମୋ ବିରୁଦ୍ଧ ରେ ଷଡ଼ଯନ୍ତ୍ର କାଇଁ କରୁଛ । ତମେ ଜାଣିନ ମା' ସମଲେଇ ମୋ ପାଇଁ ଅଛନ୍ତି, ତମର ସବୁ ପ୍ଲାନ୍ ମତେ କହି ଦେଉଛନ୍ତି । ତମେ ଯାହାକୁ ବି କହିଛ ଯେ, ସକାଳୁ ମନୋଜ ମିଶ୍ରର ବେହେନେ ସିରିଏଲ୍ର ଫଟୋଟେ ନେଇ ସମ୍ବଲପୁରୀ ଭାଷାରେ ଲେଖ, ମହାଖଳନାୟକଙ୍କର ମହାଖୁଲସା" ସେଇ କଥାର ପ୍ରମାଣ ବି ମୋ ପାଖରେ ଅଛି ।"
ସେ ଆହୁରି ଲେଖିଛନ୍ତି, "କାଇଁ ଏମିତି ହେଉଛ । ତମେ ଆମ କେନ୍ଦ୍ରାପଡ଼ାର ଜନପ୍ରତିନିଧି ଏମିତି ଯଦି କରିବ, ତାହେଲେ ଆଗକୁ ତମ ଉପରେ ଲୋକଙ୍କର କଣ ଆଉ ଭରସା ରହିବ? ଗତକାଲି ତମର ଜଣେ ଚେଲା ମତେ ପରୋକ୍ଷରେ TVରେ କହୁଥିଲା "Villain ଟା Villain ହେଇକି ରହ, ହିରୋ ହେବାକୁ ଚେଷ୍ଟା କର ନାହିଁ । ତାଙ୍କୁ କହିଦେବ ମୁଁ ଭୁବନେଶ୍ୱର ଛାଡ଼ି ଦେଲି ଏବେ ସମ୍ବଲପୁରରେ ରହିବି ଆଉ ତମ ମାନଙ୍କର କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ଏମିତି ମୋ ବିପକ୍ଷରେ ଷଡ଼ଯନ୍ତ୍ର କରିକି ସମ୍ବଲପୁରୀ ଭାଷାକୁ ନିଜେ ଗାଳି ନଦେଇ ନିଜ ଚେଲା ମାନଙ୍କୁ ଶିଖେଇ ସେମାନଙ୍କ ଜରିଆରେ ସମ୍ବଲପୁରୀ ଭାଷାକୁ ଗାଳି ଦେଇ ପଶ୍ଚିମ ଓଡ଼ିଶାର ଲୋକଙ୍କ ହୃଦୟକୁ କଷ୍ଟ ଦିଅ ନାହିଁ ।"