ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଓଲା କାର ଡ଼୍ରାଇଭରମାନେ ୫ ଦିନ ଧରି ଧାରଣା ଦେଇଛନ୍ତି । ଧାରଣା ସତ୍ତ୍ବେ ଓଲା ଅଧିକାରୀମାନେ ସେମାନଙ୍କ ଦାବି ଶୁଣୁ ନ ଥିବା ଅଭିଯୋଗ ହୋଇଛି । ଏଥିରେ ଉତ୍ୟକ୍ତ ହୋଇ କିଛି ଓଲା କାର ଚାଳକମାନେ ଓଲା ଅଫିସ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଏହାପରେ ସହିଦନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି 10ରୁ ଊର୍ଦ୍ଧ୍ବ କାର ଚାଳକକୁ ଉଠାଇ ନେଇଛି । ଏହି ଘଟଣା ପରେ ଓଲା ଅଫିସ ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି ।
ରାଜଧାନୀରେ ପ୍ରାୟ 2000 ଓଲା ଚାଳକ ରହିଛନ୍ତି । ସେମାନଙ୍କ ମଧ୍ୟରୁ 300 ଜଣ ବିଭିନ୍ନ ଦାବି ନେଇ ଧାରଣାରେ ବସିଥିଲେ । କାର ବୋନସ୍ ବଢେଇବା, 10ଘଣ୍ଟା କାର ଚାଲିଲେ 2000 ଟଙ୍କା ଭଳି 11ଟି ଦାବି କରିଥିଲେ ଓଲା ଚାଳକ ।