Post Budget Press Meet: ଖୁବଶୀଘ୍ର ବିଜୁ ଏକ୍ସପ୍ରେସ ୱେ-୨ ନିର୍ମାଣ କରାଯିବ: ପୂର୍ତ୍ତ ବିଭାଗ ଭୁବନେଶ୍ବର:ଆର୍ଥିକ ବର୍ଷ ୨୦୨୩-୨୪ ବଜେଟ ବ୍ୟୟବରାଦ ନେଇ ପୂର୍ତ୍ତ ବିଭାଗର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ଏହି ଅବସରରେ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସଚିବ ବୀର ବିକ୍ରମ ଯାଦବ । ତେବେ ଖୁବଶୀଘ୍ର ବିଜୁ ଏକ୍ସପ୍ରେସ ୱେ-୨ ଆରମ୍ଭ ହେବାକୁ ଯାଉଛି । ବ୍ରହ୍ମପୁରରୁ ଜୟପୁର ଯାଏଁ ୪-ଲେନ ବିଶିଷ୍ଟ ୩୩୫ କିମି ରାସ୍ତା ହେବ । ଏ ବର୍ଷ ବଜେଟରେ ୧୦୦ କୋଟି ବ୍ୟୟ ବରାଦ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହା ସହ ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅବଢ଼ା ଯୋଜନାରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ୨୨୩.୯୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ଅର୍ଥରେ ଅବଢ଼ା ଯୋଜନା ଅଧୀନରେ ଥିବା ପରିକ୍ରମା ପ୍ରକଳ୍ପ ସମେତ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ ସ୍ଥଳୀ, ମୂଷା ନଦୀ ଓ ସ୍ମାରକୀ ପୋଖରୀ ପୁନରୁଦ୍ଧାର ସହ ବେଳାଭୂମି ସମ୍ମୁଖ ଭାଗ ବିକାଶ କାମ ସମ୍ପୂର୍ଣ୍ଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ସଚିବ ବୀର ବିକ୍ରମ ଯାଦବ କହିଛନ୍ତି ।
ଏହା ବି ପଢନ୍ତୁ- DIGITAL DIALOGUE: 'ଡ୍ରାଇଭର ମହାସଂଘ ହିଂସାପଥ ଛାଡନ୍ତୁ, ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ସହ ଆଲୋଚନା କରନ୍ତୁ'
ରାସ୍ତାକାମରେ ଏଣିକି ବ୍ୟବହାର ହେବ ମାଇନିଂ ଟେକ୍ନୋଲୋଜି । ବାରମ୍ବାର ରାସ୍ତା ମରାମତି ଯୋଗୁଁ ଉଚ୍ଚ ହେଉଛି ରାସ୍ତା, ତଳିଆ ହେଉଛି ଘର । ଏହାକୁ ନେଇ ବିଭାଗ ଚିନ୍ତା ପ୍ରକଟ କରିଛି । ମାଇନିଂ ଟେକ୍ନୋଲୋଜିରେ ପ୍ରଥମେ ପୁରୁଣା ରାସ୍ତା ଖୋଳି ବାହାର କରିବ ମେସିନ, ଏହାପରେ ନିର୍ମାଣ ହେବ ନୂଆ ରାସ୍ତା । ୨୦୨୩-୨ ୪ରୁ ଆରମ୍ଭ ହେବ ଏହି ପାଇଲଟ୍ ପ୍ରକଳ୍ପ । ସେହିପରି ଜୁନ ସୁଦ୍ଧା ବହୁ ପ୍ରତିକ୍ଷିତ କଟକ-ସମ୍ବଲପୁର NHର ଗୋଟିଏ ପାର୍ଶ୍ଵ କାମ ଶେଷ ହେବ । ଏନେଇ NHAI ପୂର୍ତ୍ତ ବିଭାଗକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ସଚିବ ।
ଅନ୍ୟପଟେ କେନ୍ଦ୍ରାପଡ଼ା ତିନି ମୁହାଣିରେ ନିର୍ମାଣଧୀନ ବ୍ରିଜ ଭୁଶୁଡିବା ଘଟଣା ନେଇ ସୂଚନା ଦିଆଯାଇଛି । ଏହି ଘଟଣାର ତଦନ୍ତ କରିବେ EIC ଓ ଚିଫ ଇଞ୍ଜିନିୟର । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସେହିପରି କଟକ ତ୍ରିଶୁଳିଆରେ କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ଦ୍ବିତୀୟ ସେତୁ । ଚଳିତ ବର୍ଷ ଆରମ୍ଭ ହେବ କାମ । ବଜେଟରେ ଏ ନେଇ ବ୍ୟୟ ବରାଦ ହୋଇଥିବା ନେଇ ସଚିବ ସୂଚନ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର