ଭୁବନେଶ୍ବର: ଫାଇଲେରିଆ ମୁକ୍ତ ହେବ ଓଡିଶା । 2027 ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲା ଫାଇଲେରିଆ ମୁକ୍ତ ହେବ । 9 ଜିଲ୍ଲା ଫାଇଲେରିଆ ମୁକ୍ତ ଘୋଷଣା ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ବଳକା 21 ଜିଲ୍ଲାରେ ଫାଇଲେରିଆ ମୁକ୍ତ ପାଇଁ ସାମୁହିକ ଔଷଧ ସେବନ ବା ଏମଡିଏ କାର୍ଯ୍ୟକ୍ରମ ଜାରି ରହିଛି । ଚଳିତ ବର୍ଷ ଫେବୃଆରୀ ଓ ଅଗଷ୍ଟ ମାସରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟର 2 କୋଟି 73 ଲକ୍ଷ ଲୋକଙ୍କୁ ଏମଡିଏ ଅଧୀନରେ ଔଷଧ ବିତରଣ କରାଯାଇ ଫାଇଲେରିଆ ମୁକ୍ତ ଅଭିଯାନକୁ ଆଉ ପାଦେ ଆଗକୁ ନେଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶୁଭାଶିଷ ମହାନ୍ତି ।
ଏହା ମଧ୍ୟ ପଢନ୍ତୁ-ଫାଇଲେରିଆ ନିରାକରଣ ଅଭିଯାନ: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଔଷଧ ଖାଇବେ ଲୋକେ
ସେ କହିଛନ୍ତି ଯେ, ଫାଇଲେରିଆ ମୁକ୍ତ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ଏବେ ସରକାର ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଫାଇଲେରିଆ ପାଇଁ ପ୍ରତିବର୍ଷ 21ଟି ଜିଲ୍ଲାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯାଏ । ଫେବୃଆରୀ ମାସରେ 10 ଟି ଜିଲ୍ଲାରେ କରାଯାଇଥିଲା । ପାଖାପାଖି ଏକ କୋଟି 23 ଲକ୍ଷ ଲୋକଙ୍କୁ ଔଷଧ ପ୍ରଦାନ କରାଯାଇଥିଲା । ଅଗଷ୍ଟ ମାସରେ 11ଟି ଜିଲ୍ଲାରେ ନାଇଟ ଏମଡିଏ କାର୍ଯ୍ୟକ୍ରମ କରାଯାଇଥିଲା । ସେଠାରେ 1.5 କୋଟି ଲୋକଙ୍କୁ ଔଷଧ ପ୍ରଦାନ କରାଯାଇଥିଲା ।