ଭୁବନେଶ୍ବର: ରାଜ୍ୟରେ ପ୍ରାଣୀମାନେ ଅଧିକ ରୋଗାଗ୍ରସ୍ତ ହେଉଛନ୍ତି । ଫଳରେ ଗୁଣାତ୍ମକ ଚିକିତ୍ସାରେ ଚାହିଦା ବଢୁଛି । ଅନ୍ୟପଟେ ପ୍ରାଣୀ ଚିକିତ୍ସାମାନେ ଅନେକ ସମୟରେ ଆକ୍ରୋଶର ଶିକାର ହେଉଛନ୍ତି । ନିକଟରେ ବାଲେଶ୍ବର ଜଳେଶ୍ବରରେ ଏଭିଏଏସ ଡାକ୍ତର ଶୈଳେନ୍ଦ୍ରୀ ଗୁପ୍ତାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଓଡ଼ିଶା ପ୍ରାଣୀସମ୍ପଦକ ସେବା ସଙ୍ଘ ଗଭୀର ନିନ୍ଦା କରିଛି । ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବି ମଧ୍ୟ କରିଛି । ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ଲାଗି ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସଙ୍ଘ ଦାବି କରିଛି । ପ୍ରାଣୀ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ରୂପାନ୍ତରଣ ସମେତ ପ୍ରାଣୀସମ୍ପଦ ବିଜ୍ଞାନ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ସଙ୍ଘ ପକ୍ଷରୁ ଦାବି ହୋଇଛି ।
ଗତ ୨ ତାରିଖରେ ଜଳେଶ୍ବରର ଏଭିଏଏସ ଡାକ୍ତର ଶୈଳେନ୍ଦ୍ରୀ ଗୁପ୍ତା ଏକ ଛେଳି ମୃତ୍ୟୁ କାରଣରୁ ଡ୍ୟୁଟି ସମୟରେ ଅଟକ ରଖାଯାଇଥିଲା । ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଲା ପରେ ଡାକ୍ତରଙ୍କୁ ଛାଡିଥିଲେ ଗ୍ରାମବାସୀ । ଛେଳିକୁ କ୍ବାକ୍ମାନେ ଭୁଲ ଚିକିତ୍ସା କରିଥିଲେ ଏବଂ ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଙ୍କ ପାଖକୁ ଅଣାଯାଇଥିଲା । ରାଜ୍ୟରେ ଘଟୁଥିବା ଏହିଭଳି ଏକାଧିକ ଘଟଣାର ଏହା ଏକ ଉଦାହରଣ । ଯେଉଁଥିରେ ପ୍ରାଣୀସମ୍ପଦକ ଚିକିତ୍ସକମାନେ ପୋଲିସ ଅଥବା ସରକାରଙ୍କ ନିକଟରୁ କୌଣସି ସହାୟତା ପାଉନାହାନ୍ତି । ପ୍ରକୃତ କଥା ହେଉଛି ପ୍ରାଣୀ ମାଲିକମାନେ ଯଥାର୍ଥରେ ସରକାରୀ ସୁବିଧା ସ୍ଥଳଗୁଡିକରେ ସେମାନଙ୍କ ପ୍ରାଣୀମାନଙ୍କର ଉପଯୁକ୍ତ ଚିକିତ୍ସା ଆଶା କରୁଛନ୍ତି ।
ଅନ୍ୟପକ୍ଷରେ ଉପରିସ୍ଥ କର୍ତ୍ତୃପକ୍ଷ ପ୍ରାଣୀ ଚିକିତ୍ସକମାନଙ୍କୁ ରିହାତି ବଣ୍ଟନ, ଅନାବଶ୍ୟକ ବୈଠକ ଏବଂ ଟ୍ରାକ୍ଟର ଓ ରିପର୍ ଆଦି ବିକ୍ରି କରିବା ଭଳି କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ପ୍ରାଣୀସମ୍ପଦକ ଚିକିତ୍ସକମାନଙ୍କ ପାଇଁ କୋଣସି ଧାର୍ଯ୍ୟ କାର୍ଯ୍ୟ ସମୟ ନାହିଁ କିମ୍ବା ସୁସ୍ପଷ୍ଟ କାର୍ଯ୍ୟ ସାରଣୀ ନାହିଁ । ଲୋକଶକ୍ତି ଏବଂ ଉପଲବ୍ଧ ସୁବିଧା ସୁଯୋଗ ଆଦି କ୍ଷେତ୍ର ପରିସ୍ଥିତିର ଆକଳନ ନକରି ଅନେକ ଥର ପ୍ରାଣୀ ସମ୍ପଦ ହେଲ୍ପ ଲାଇନ ଭଳି ଯୋଜନା ଓ କାର୍ଯ୍ୟକ୍ରମ ପ୍ରଚଳନ କରାଯାଉଛି। ପ୍ରାଣୀସମ୍ପଦକ ଚିକିତ୍ସକଙ୍କ ଉପରେ ଚଳିତ ସମୟରେ କେତେକ ଘଟଣା ଘଟିଥିବା ବେଳେ ରାଜ୍ୟର ପ୍ରାଣୀସମ୍ପଦ ଚିକିତ୍ସକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଏହା ବି ପଢନ୍ତୁ- ହାଇକୋର୍ଟରେ ନବଦାସ ମୃତ୍ୟୁ ମାମଲା, CBI ତଦନ୍ତ ପ୍ରାର୍ଥନା କରି ଜନସ୍ବାର୍ଥ ମାମଲା ରୁଜୁ