ଭୁବନେଶ୍ବର: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଲେଖିଛନ୍ତି ଚିଠି । ରାଜ୍ୟକୁ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ ନେଇ ଚିଠି ଲେଖିଛନ୍ତି ପରିବହନ ମନ୍ତ୍ରୀ । ୩ଟି ରୁଟ୍ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଚିଠି ଲେଖି ଦାବି କରିଛନ୍ତି ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପୁରୀ-ହାୱଡା ମଧ୍ୟରେ ବନ୍ଦେ ଭାରତ ଚଳାଚଳ ପାଇଁ ଦାବି କରାଯାଇଛି । ସେହିପରି ପୁରୀ-ରାୟପୁର ଭାୟା ରାଉରକେଲା-ସମ୍ବଲପୁର ମଧ୍ୟରେ ଚଳାଚଳ ଲାଗି ମଧ୍ୟ ଦାବି ହୋଇଛି । ଭୁବନେଶ୍ବର-ହାଇଦ୍ରାବାଦ ମଧ୍ୟରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି ହୋଇଛି ।
କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟ ମନ୍ତ୍ରୀ ଚିଠି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅମର କହିଛନ୍ତି, "କେନ୍ଦ୍ର ସରକାର ଓଡ଼ିଶାର ଆବଶ୍ୟକତାକୁ ଦେଖୁନାହାନ୍ତି । ନାମକୁ ମାତ୍ର ଓଡିଶାକୁ ଦେଲୁ ବୋଲି କହୁଛନ୍ତି । ଓଡ଼ିଶା କାହାର ଦୟାରେ ନାହିଁ । ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ହକ୍ ଅଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାର ବିଶେଷ ହକ୍ ରହିଛି । ଓଡିଶା ଯେତିକି ରାଜସ୍ବ ଦେଉଛି, ସେଥିରେ ଓଡ଼ିଶାରେ ରେଳବାଇର ବିକାଶ ହେଉନାହିଁ । ସେତିକି ସଂଖ୍ୟାରେ ରେଳ ଚଳାଚଳ ହେଉନାହିଁ । ଅଧିକ ଟ୍ରେନ ନିଶ୍ଚୟ ଭାବେ ଆବଶ୍ୟକତା ରହିଛି ।" ତେବେ ଯେଉଁ ବନ୍ଦେ ଭାରତ କଥା କୁହାଯାଉଛି, ଓଡିଶା କଣ ଭାରତ ଭିତରେ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେପଟେ ରାଜ୍ୟ ମନ୍ତ୍ରୀଙ୍କ ଚିଠି ଓ ଅମରଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ଅପରାଜିତା କହିଛନ୍ତି, "ବର୍ତ୍ତମାନ ଏକ ଭଲ କାମ ହେଉଛି । ସମସ୍ତେ ସହଯୋଗର ହାତ ବଢ଼ାନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଧନ୍ୟବାଦ ଦିଅନ୍ତୁ । ଏହା ସମ୍ମାନ ଓ ସୌଜନ୍ୟତାର କଥା । ଯାହା ଦାବି ଅଛି ତାହା ଲେଖିକରି ଦିଅନ୍ତୁ । ମୋର ଆଶା କେନ୍ଦ୍ର ସରକାର ନିଶ୍ଚୟ ପଦକ୍ଷେପ ନେବେ । ଓଡିଶା ପ୍ରତି କେବେ ଅବହେଳା ହୋଇନାହିଁ ।" କେଉଁକେଉଁ ଯୋଜନାରେ କେତେ ଟଙ୍କା ଓଡ଼ିଶାକୁ ଦିଆଯାଇଛି ତାହା ସମସ୍ତେ ଜାଣିଛନ୍ତି ବୋଲି ଅପରାଜିତା କହିଛନ୍ତି ।