ମୃତଦେହ ସଂରକ୍ଷଣରେ ସହଯୋଗ ଲାଗି ଆସିଛନ୍ତି ଏକ୍ସପର୍ଟ: ମୁଖ୍ୟ ଶାସନ ସଚିବ ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଛି ବାଲେଶ୍ଵର ରେଳ ଦୁର୍ଘଟଣାର ମୃତଦେହ । ବିଭିନ୍ନ ମୃତଦେହ ରଖାଯାଉଥିବା ଗୃହରେ ମୃତ ଯାତ୍ରୀଙ୍କ ମର ଶରୀରକୁ ରଖାଯାଇଛି । ଅଧିକ ସମୟ ଧରି ଏହି ମୃତଦେହ ସଂରକ୍ଷଣ କରିବା ଲାଗି କେନ୍ଦ୍ରରୁ ଆସିଛନ୍ତି ଏକ୍ସପର୍ଟ । ଏକ୍ସପର୍ଟ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ସେହିପରି ମୃତକଙ୍କ ସଂଖ୍ୟା ନେଇ ସୃଷ୍ଟି ହୋଇଥିବା ଦ୍ଵନ୍ଦ ଦୂର କରିଛନ୍ତି ମୁଖ୍ୟ ଶାସନ ସଚିବ ।
ମୁଖ୍ୟ ଶାସନ ସଚିବ କହିଛନ୍ତି,"ଗତକାଲି ରେଳ ବିଭାଗ ଶେଷ ମୃତ୍ୟୁ ତଥ୍ୟ ୨୮୮ ଦେଇଥିଲେ । ସେଇ ଆଧାରରେ ରାଜ୍ୟ ସରକାର ୨୮୮ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଥିଲେ । ଗତକାଲି ରାତିରେ ଓ ଆଜି ସକାଳେ ମୃତଦେହର ଦ୍ଵିତୀୟ ଥର ଗଣନା କରାଯାଇଛି । ତାହାର ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଫାଇନାଲ ମୃତ୍ୟୁ ସଂଖ୍ୟା ହେଉଛି ୨୭୫ । କେତେକ ମୃତଦେହ ଡବଲ କାଉଣ୍ଟିଂ ହୋଇ ଯାଇଥିଲା । ବର୍ତ୍ତମାନ ଫାଇନାଲ ଫିଗର ଜିଲ୍ଲାପାଳ ଲିଖିତ ଭାବେ ଜଣାଇଛନ୍ତି । ତଥ୍ୟ ଅନୁଯାୟୀ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ୨୭୫ ମୃତଦେହ ମଧ୍ୟରୁ ୮୮ ମୃତଦେହକୁ ଚିହ୍ନଟ କରାଯାଇଛି । ୭୮ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୧୦ ମୃତଦେହ ଚିହ୍ନଟ କରାଯାଇଛି । ତାହାର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ବାକି ୧୮୭ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେ ଭିତରୁ ୧୭୦ଟି ମୃତଦେହ ଭୁବନେଶ୍ବର ଅଣାଯାଇଛି । ଆଉ ୧୭ ମୃତଦେହ ବିଭିନ୍ନ ସ୍ଥାନରୁ ଅଣାଯାଉଛି ।"
ଏହା ବି ପଢନ୍ତୁ- ରେଳ ବିଭାଗର ଅପାରଗତା ପାଇଁ ଘଟିଛି ଏହି ବଡ଼ ଅଘଟଣ: ମୋକିମ
ସେ ଆହୁରି କହିଛନ୍ତି, "ମୃତଦେହ ଆଣିବା ଲାଗି ୩ଟି ରାସ୍ତା ଥିଲା । କେନ୍ଦ୍ର ସରକାର ସ୍ବତନ୍ତ୍ର ରେଳ ବ୍ୟବସ୍ଥା କରିଥିଲେ । ରାଜ୍ୟ ସରକାର ନିଜସ୍ବ ଆମ୍ବୁଲାନ୍ସରେ ମୃତଦେହ ଭୁବନେଶ୍ବର ଆଣିଛନ୍ତି । ମୃତଦେହକୁ ଏମ୍ସ, କ୍ୟାପିଟାଲ, କିମ୍ସ, ଆମ୍ରି, ସମ ହସ୍ପିଟାଲରେ ରଖାଯାଇଛି । ଗୋଟିଏ ଆମ୍ବୁଲାନ୍ସରେ 2ଟି ଲେଖାଏଁ ମୃତଦେହ ଅଣାଯାଇଛି । ଏହିପାଇଁ ୮୫ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା । ମୃତଦେହ ଚିହ୍ନଟ ଲାଗି ବିଏମସି କମିଶନରଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇଛି । ୩୮୨ ଜଣ ଆହତ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ କ୍ରିଟିକାଲ ଅଛନ୍ତି । ସମସ୍ତଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବେ । ଆହତ ବ୍ୟକ୍ତିଙ୍କ ଫଟୋ ଓ ଚିକିତ୍ସା ହେଉଥିବା ହସ୍ପିଟାଲର ତଥ୍ୟ ମଧ୍ୟ ଜାରି କରାଯାଇଛି । ପରିବାର ଲୋକ ଆମ ସହିତ କିମ୍ବା ହସ୍ପିଟାଲ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ ।"
ଏବେ ମୃତଦେହ ଚିହ୍ନଟ ଚ୍ୟାଲେଞ୍ଜ ହୋଇଛି । ମୃତଦେହର ଫଟୋ ଉଠାଯାଇଛି । ଏହାକୁ ୩ଟି ୱେବସାଇଟ ମାଧ୍ୟମରେ ଫଟୋ ସର୍ବସାଧାରଣ କରାଯାଇଛି । ଏହି ଫଟୋକୁ କେବଳ ମୃତଦେହ ଚିହ୍ନଟ ଲାଗି ବ୍ୟବହାର କରାଯିବ । ମୃତଦେହ ଚିହ୍ନଟ ଲାଗି ଟ୍ରୋଲ ଫ୍ରି ନମ୍ବର ଜାରି ହୋଇଛି । ଟ୍ରୋଲ ଫ୍ରି ନମ୍ବର ହେଉଛି 18003450061 । ଦେଶର ଯେକୌଣସି ସ୍ଥାନରୁ ଫୋନ କରିପାରିବେ । ଓଡ଼ିଶାର ଲୋକଙ୍କ ପାଇଁ 1929 ନମ୍ବରରେ ଯୋଗାଯୋଗ କରିପାରିବେ । ଯେଉଁମାନେ ମୃତଦେହ ଚିହ୍ନଟ ପାଇଁ ଆସିବେ, ସେମାନେ ଏହି ନମ୍ବରରେ କଲ କରିପାରିବେ । ଅଫିସରମାନେ ସାହାଯ୍ୟ କରିବେ, ସମ୍ପର୍କୀୟଙ୍କୁ କୌଣସି ଅସୁବିଧା ହେବ ନାହିଁ । ୪ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି । ଶ୍ରମ କମିଶନର ତିରୁମାଲା ନାୟକ, ସୁଶାନ୍ତ ମହାନ୍ତି, ରଶ୍ମି ରଞ୍ଜନ ନାୟକ, ଗଙ୍ଗାଧର ସାହୁଙ୍କୁ ସ୍ବତନ୍ତ୍ର ଦାୟିତ୍ବ ମିଳିଛି । ରାଜ୍ୟର ଖର୍ଚ୍ଚରେ ମୃତଦେହକୁ ଗନ୍ତବ୍ୟସ୍ଥଳକୁ ପଠାଯିବ । ମୃତ୍ୟୁ ପଞ୍ଜିକରଣ ସାର୍ଟିଫିକେଟ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ଇଟିଭି ଭାରତ, ଭୁବନେଶ୍ବର