ଏମ୍ସ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର : ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୃତଦେହ ଚିହ୍ନଟ ପ୍ରକ୍ରିୟାର ସ୍ଥିତି ଯାଞ୍ଚ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ବାହାନଗା ଟ୍ରେନ୍ ଟ୍ରାଜେଡିକୁ ସପ୍ତାହେ ବିତିଥିବାବେଳେ ଏଯାଏଁ ଏମ୍ସରେ ରହିଛି ଅନେକ ମୃତଦେହ । ଏବେବି ଭୁବନେଶ୍ଵର ସ୍ଥିତ ଏମ୍ସ ପରିସରରେ ଲାଗି ରହିଛି ମୃତକଙ୍କ ସମ୍ପର୍କୀୟଙ୍କ ଭିଡ଼ । କେତେକଙ୍କ ମୃତଦେହ ମିଳୁନଥିବାବେଳେ ଆଉ କେତେକ ମୃତଦେହର ରହୁଛନ୍ତି ଅନେକ ଦାବିଦାର। ଏକାଧିକ ଦାବିଦାର ଥିବା ମୃତଦେହର DNA ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡିଛି। ତେବେ DNA ଟେଷ୍ଟ ପାଇଁ ଦିଲ୍ଲୀ ଏମ୍ସକୁ ସାମ୍ପଲ ପଠାଯାଇଛି।
ସୂଚନା ଅନୁଯାୟୀ, ଏମ୍ସ ରେ ପୂର୍ବରୁ ମୋଟ୍ 193ଟି ମୃତଦେହ ଥିବାବେଳେ ଗୁରୁବାର ସୁଦ୍ଧା 111 ଟି ମୃତଦେହକୁ ତାଙ୍କର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏମ୍ସରେ 82ଟି ମର ଶରୀର ରହିଛି । ସେଥିମଧ୍ୟରୁ 64 ଜଣଙ୍କର DNA ପରୀକ୍ଷା ଶେଷ ହୋଇଥିବାବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ରିପୋର୍ଟ ଆସିବା ପରେ ମୃତଦେହ କାହାର ସେନେଇ ସବିଶେଷ ତଥ୍ୟ ଜଣା ପଡିବ। ଏହାପରେ ଏମ୍ସ ର ଦିଆଯାଇଥିବା ଟୋଲ ଫ୍ରି ନମ୍ବର ଏବଂ ବିଏମସି ପକ୍ଷରୁ ଫୋନ୍ ଯୋଗେ ମୃତକଙ୍କ ସମ୍ପର୍କୀୟଙ୍କୁ ଜଣାଇ ଦିଆଯିବ।
ଅନ୍ୟପଟେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଯାତ୍ରୀଙ୍କ ମର ଶରୀରକୁ ନେଇ ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏମ୍ସ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ନିଜେ ଉପସ୍ଥିତ ରହି କିଭଳି ସମସ୍ତ ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ସେନେଇ ନିଆଯାଉଥିବା ପଦକ୍ଷେପ ଉପରେ ଯାଞ୍ଚ କରିଛନ୍ତି। ତେବେ ଏମ୍ସରେ ଥିବା 82 ଟି ମୃତଦେହ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇପାରିନଥିବା ଜଣାପଡିଛି।
ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବାବେଳେ ସବୁ କିଛି ବ୍ୟବସ୍ଥିତ ଭାବେ ହେଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ନିଜ ପରିଜନଙ୍କୁ ଖୋଜିବାକୁ ଆସୁଥିବା ଲୋକଙ୍କ ପାଇଁ ହେଲ୍ପ ଡେସ୍କ କରାଯାଇଛି। ପୋଲିସ, ବିଏମସି କର୍ମଚାରୀ ବି ସହାୟତା ପାଇଁ ରହିଛନ୍ତି । ମୃତଦେହ ନେବାକୁ ଆସୁଥିବା ବ୍ୟକ୍ତିଙ୍କର ଆଧାର କାର୍ଡ ଓ ଅନ୍ୟାନ୍ୟ ପରିଚୟପତ୍ର ଯାଞ୍ଚ କରାଯାଉଛି। ଏହାସହ DNA ଟେଷ୍ଟ ମଧ୍ୟ କରାଯାଉଛି । ଚିହ୍ନଟ ପରେ ମୃତଦେହ ହସ୍ତାନ୍ତର କରାଯିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉଛି । ନିୟୋଜିତ ସମସ୍ତ କର୍ମଚାରୀମାନେ ମିଳିତ ଭାବେ ବ୍ୟବସ୍ଥିତ ଢଙ୍ଗରେ କାମ କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଇଟିଭି ଭାରତ, ଭୁବନେଶ୍ବର