ଭୁବନେଶ୍ବର:ବାହାନଗା ଷ୍ଟେସନ ନିକଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଅନେକ ଯାତ୍ରୀ ଟ୍ରେନ ତଳେ ଚାପି ହୋଇ ରହିଛନ୍ତି । ଦୁର୍ଘଟଣାରେ ୨ଟି ବଗି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଗତକାଲି ରାତିରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆହୁରି ୩ ଘଣ୍ଟା ସମୟ ଲାଗିବ । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୩୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ହେଲେ ବଗି ତଳୁ ଆହୁରି ଅନେକ ମୃତଦେହ ଉଦ୍ଧାର ହୋଇଛି । ବାସ୍ତବରେ କେତେ ମୃତ୍ୟୁ ଘଟିଛି ସେନେଇ ଚିତ୍ର ସ୍ପଷ୍ଟ ହୋଇପାରିନି । ତେବେ ଆହତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ ବୋଲି ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି ।
ଅନ୍ୟପଟେ ଆହତଙ୍କ ସ୍ଥାନାନ୍ତର ପାଇଁ ଉଦ୍ଧାର କାର୍ଯ୍ୟରେ ବାୟୁସେନାର Mi-17 ହେଲିକପ୍ଟର ନିୟୋଜିତ କରାଯାଇଛି । ଆଜି ଦୁଇଟି ହେଲିକପ୍ଟର ନିୟୋଜିତ ହୋଇଥିବା ନେଇ ଇଣ୍ଟର୍ଣ୍ଣ କମାଣ୍ଡ ସୂଚନା ଦେଇଛି । ଫସିଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଉଛି । ତେବେ ଆଉ ଘଣ୍ଟାଏ ଦୁଇ ଘଣ୍ଟା ପରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ । ମୃତଦେହଗୁଡିକୁ ହସ୍ପିଟାଲ ପଠାଯାଇ ବ୍ୟବଚ୍ଛେଦ କରାଯିବ । ଏହାପରେ ସେଗୁଡିକୁ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।