ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ସାରା ଦେଶକୁ ଥରାଇ ଦେଇଛି । ଅନେକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଅନେକ ନିଶ୍ଚିତ ମୃତ୍ୟୁରୁ ଫେରି ନୂଆ ଜୀବନ ପାଇଛନ୍ତି । ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା । ଏହି ଭୟଙ୍କର ଦୁର୍ଘଟଣାର ୪୮ ଘଣ୍ଟା ପରେ ଘଟଣାସ୍ଥଳରୁ ଆସାମର ଜଣେ ଯୁବକ ଦୁଲାଲ ମଜୁମଦାର ଜୀବିତ ଭାବେ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ବର୍ତ୍ତମାନେ ସେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ବାପାଙ୍କ ସହ ଭେଟ ହୋଇଛନ୍ତି ।
ଦୁଲାଲଙ୍କ ପିତା ସୁବାସ ମଜୁମଦାରଙ୍କୁ ଭୁବନେଶ୍ଵର ଏମ୍ସ ଅଧିକାରୀ ମାନେ ଯୋଗାଯୋଗ କରିଥିଲେ । ପୁଅ ଜୀବିତ ଏବଂ ଚିକିତ୍ସିତ ଥିବା ଖବର ଶୁଣି ସୁଦୂର ଆସାମର ଉତ୍ତର ବାର ଗ୍ରାମରୁ ଆସି ଆଜି ଭୁବନେଶ୍ଵର ଏମ୍ସ ରେ ପହଞ୍ଚିଛନ୍ତି ପିତା ସୁବାସ । ହସ୍ପିଟାଲରେ ପୁଅକୁ ଦେଖିବା ପରେ ପିତା ସମ୍ପୂର୍ଣ୍ଣ ଭାବେ ଭାବପ୍ରବଣ ହୋଇ ପଡିଛନ୍ତି । ଦୁଲାଲ ମଜୁମଦାର ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାର ୪୮ ଘଣ୍ଟା ପରେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ଯେହେତୁ ତାଙ୍କ ବ୍ରେନ ଉପରେ ମାଡ ବାଜିବା ସହ ରକ୍ତ ଜମାଟ ବାନ୍ଧିଥିଲା । ତେଣୁ ଡାକ୍ତରଙ୍କ ପକ୍ଷେ ଏହା ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ଅପରେସନ ପରେ ଦୁଲାଲଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ସହ ଭେଣ୍ଟିଲେଟରରୁ ତରଳ ଖାଦ୍ୟ ଖାଇବା ଆଦି ପ୍ରକ୍ରିୟା କରାଗଲା । ବର୍ତ୍ତମାନ ଦୁଲାଲଙ୍କୁ ସ୍ବତନ୍ତ୍ର ଭାବେ ନଜରରେ ରଖାଯାଇଛି । ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିଲେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ ସ୍ଥିର ଅଛି । ଭେଣ୍ଟେଲେଟରରୁ ୱାର୍ଡକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏହାସହ କଥା ହେବାରେ ମଧ୍ୟ ସକ୍ଷମ ଅଟନ୍ତି । ଦୁଲାଲ ନିଜ ପିତାଙ୍କୁ ଭେଟିଛନ୍ତି ଏବଂ ତାଙ୍କୁ ଚିହ୍ନି ପାରୁଛନ୍ତି । ଈଶ୍ବରଙ୍କ କୃପା ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଦୁଲାଲ ଆଜି ନୂଆ ଜୀବନ ପାଇଛନ୍ତି । ସେଥିପାଇଁ ସେ ଡାକ୍ତରଖାନାର ସମସ୍ତ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ।