ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ପୁରିଛି ୨୯ ଦିନ । ଏହାରି ଭିତରେ ଆସିଛି ଡିଏନଏ ଟେଷ୍ଟ ରିପୋର୍ଟ । ଗୋଟିଏ ମୃତଦେହର ଅନେକ ଦାବିଦାର ରହିଥିବା ବେଳେ DNA ଟେଷ୍ଟ ମାଧ୍ୟମରେ ପ୍ରକୃତ ଦାବିଦାରଙ୍କୁ ଚିହ୍ନଟ ପାଇଁ ଏହି ଟେଷ୍ଟ କରାଯାଇଥିଲା । ଏହାର ରିପୋର୍ଟ ଆସିବା ପରେ ପ୍ରକୃତ ଦାବିଦାରଙ୍କୁ ମୃତଦେହ ମିଳିବ । ଏନେଇ ଏମ୍ସରେ ମୃତଦେହ ଚିହ୍ନଟ ସହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଅଚିହ୍ନା ମୃତଦେହ ଓ ଯେଉଁମାନେ ମୃତଦେହ ନେବେ ନାହିଁ ସେମାନଙ୍କର ଭୁବନେଶ୍ୱରରେ ସମୂହ ଅନ୍ତିମ ସଂସ୍କାର କରାଯିବ ।
ସମୂହ ଅନ୍ତିମ ସଂସ୍କାର ପାଇଁ ବିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରର ଭରତପୁର ଓ ସତ୍ୟନଗର ସ୍ମଶାନରେ ମୃତଦେହ ଦାହ କରାଯିବ । ଏଥିପାଇଁ ଭରତପୁର ଶ୍ମଶାନରେ ପ୍ରଦୀପ ସେବା ଟ୍ରଷ୍ଟକୁ ଦାୟିତ୍ୱ ମିଳିଥିବା ବେଳେ ବିଏମସି ପକ୍ଷରୁ ସତ୍ୟନଗରରରେ ମୃତଦେହ ଦାହ କରାଯିବ । ରିପୋର୍ଟ ଆସିବା ପରେ ପରିବାରକୁ ମୃତଦେହ ନେବା ପାଇଁ ଖବର ଦିଆଯାଇଛି । ଏଯାବତ ୫ ଜଣଙ୍କର ମୃତଦେହ ଚିହ୍ନଟ ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ବାହାନଗା ଟ୍ରେନ ଦୁର୍ଘଟଣାରେ ପୂର୍ବରୁ ପ୍ରାଣ ହରାଇଥିବା ୨୮୮ ଯାତ୍ରୀଙ୍କ ମଧ୍ୟରୁ ୨୦୭ଟି ମୃତଦେହ ଚିହ୍ନଟ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରି ଦିଆଯାଇଛି l
ଏହା ମଧ୍ୟ ପଢ଼ନ୍ତୁ:ଏମ୍ସରେ ବ୍ୟବସ୍ଥିତ ଢଙ୍ଗରେ ଚାଲିଛି ମୃତଦେହ ଚିହ୍ନଟ ପ୍ରକ୍ରିୟା: ଧର୍ମେନ୍ଦ୍ର