ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ଫସଲ ସର୍ବେକ୍ଷଣ । ପାଇଲଟ ପ୍ରକଳ୍ପ ଭାବେ ନୟାଗଡ଼, ଭଦ୍ରକ, ନୂଆପଡ଼ା ଏବଂ ଦେବଗଡ଼ ଜିଲ୍ଲାରେ ଏହା ଆରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ସଫଳ ରୂପେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରର କୃଷି ଏବଂ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଡିଜିଟାଲ ଫସଲ ସର୍ବେକ୍ଷଣ ସମ୍ବନ୍ଧୀୟ ତାଲୁକସ୍ତରୀୟ ପ୍ରଶିକ୍ଷକମାନଙ୍କ ଆୟୋଜିତ ପ୍ରଶିକ୍ଷଣ କର୍ମଶାଳାରେ ଏନେଇ ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ।
ଆୟୋଜିତ କର୍ମଶାଳାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଉଦଘାଟନ କରିଛନ୍ତି । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଡିଜିଟାଲ୍ ଫସଲ ସର୍ଭେର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଛନ୍ତି । କର୍ମଶାଳାରେ ଯୋଗ ଦେଇଥିବା ପ୍ରାୟ ୧୫୦ ଜଣ ପ୍ରଶିକ୍ଷକଙ୍କୁ ଡିଜିଟାଲ ଫସଲ ସର୍ଭେର ସଫଳ ପରିଚାଳନା ସଂପର୍କରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।
ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଡିଜିଟାଲ ଫସଲ ସର୍ଭେ ବ୍ୟବସ୍ଥା ଲାଗୁ ହେବ । ଏହା ପୂର୍ବରୁ ଓଡ଼ିଶାର ୪ଟି ଜିଲ୍ଲା ସମେତ ୧୦ଟି ଚିହ୍ନଟ ରାଜ୍ୟରେ ଖରିଫ ୨୦୨୩ ପାଇଁ ପାଇଲଟ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାରମ୍ଭିକ ସ୍ତରରେ ଏହି ପାଇଲଟ ପ୍ରକଳ୍ପ ରାଜ୍ୟର ନୟାଗଡ଼, ଭଦ୍ରକ, ନୂଆପଡ଼ା ଏବଂ ଦେବଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି । ସର୍ଭେର ଉଦ୍ଦେଶ୍ୟ ପ୍ରତ୍ୟେକ ଯାଞ୍ଚ ହୋଇଥିବା ଜମିରେ ପ୍ରତ୍ୟେକ ଫସଲ ଋତୁରେ ଚାଷ କରାଯାଇଥିବା ପ୍ଲଟସ୍ତରୀୟ ଫସଲକୁ ଆକଳନ କରିବା । ଏଥିସହ ଜିଓ ଟ୍ୟାଗ ହୋଇଥିବା ଫଟୋ ଗୁଡ଼ିକର କ୍ଷେତ୍ରସ୍ତରୀୟ ପରିଦର୍ଶନ ମାଧ୍ୟମରେ ତଥ୍ୟକୁ ପ୍ରାମାଣିକ କରିବା । ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଣାଳୀରେ ଜମିର ସୀମା ଭିତରୁ ପ୍ରତ୍ୟେକ ଚାଷଜମି ପ୍ଲଟର ଫସଲ ସୂଚନା ସଂଗ୍ରହ କରିବାରେ ସକ୍ଷମ ହୋଇଥାଏ ।