ଭୁବନେଶ୍ବର: ଆସନ୍ତା ନଭେମ୍ବର ୫ ତାରିଖରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ସାମିଲ ହେବ ଓଡ଼ିଶା । ବୈଠକରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାୟ ୧୦ଟି ପ୍ରସଙ୍ଗ ଉତ୍ଥାପନ କରାଯିବ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ।
ଅତିରିକ୍ତ ଶାସନ ସଚିବଙ୍କ ସୂଚନା ଅନୁସାରେ, ଖଣିରୁ କୋଇଲା ନିଷ୍କାସନ ପରେ ଉକ୍ତ ଜମି ରାଜ୍ୟକୁ ଫେରାଇ ଦେବା ପ୍ରସଙ୍ଗ ଉଠାଇବ ରାଜ୍ୟ । ସେହିପରି ଯେଉଁ ଜମିରେ ଲୁଣ ମରା ହେଉନି, ତାହା ରାଜ୍ୟକୁ ଫେରାଇବା କଥା ମଧ୍ୟ ଉଠିବ । ଲୁଣ ମାରିବା ଲାଗି ଉକ୍ତ ଜମିକୁ ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି । କେନ୍ଦ୍ର ସରକାର ଉକ୍ତ ଜମି ଫେରାଇବାକୁ କହୁଛନ୍ତି । କିନ୍ତୁ ଜମି ଫେରାଇବା ବେଳେ ଏହାର ଦାମ ଅଧିକ ରହୁଛି । ସେ ସମ୍ପର୍କରେ ମଧ୍ୟ ରାଜ୍ୟ ଆଲୋଚନା କରିବ । ଅନେକ ଜାତିଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ ରାଜ୍ୟ ପକ୍ଷରୁ କେନ୍ଦ୍ର ନିକଟରେ ଦାବି ହୋଇଛି । ହେଲେ ଏଯାଏଁ କେନ୍ଦ୍ର କୌଣସି ନିଷ୍ପତ୍ତି ନେଇନାହିଁ । ଏହି ସବୁ ଏଜେଣ୍ଡାକୁ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଦୃଢ଼ ଭାବେ ଉଠାଇବ ଓଡ଼ିଶା ।