ଭୁବନେଶ୍ବର:ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମୁଣ୍ଡଫଟା ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । ହେଲେ ଆଜିଠୁ ଅସହ୍ୟ ତାତିରୁ ମିଳିବ ଆଶ୍ବସ୍ତି । ଆଜି ଠାରୁ ରାଜ୍ୟରେ ବଦଳିବ ପାଗ । ତାପମାତ୍ରା ହ୍ରାସ ପାଇବ । ୨୨ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଆରମ୍ଭ ହେବ । ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଗଜପତି, କନ୍ଧମାଳ, ମୟୂରଭଞ୍ଜ, କଟକ, ନବରଙ୍ଗପୁର, ସୁନ୍ଦରଗଡ, ରାୟଗଡା ଓ କୋରାପୁଟରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ । ୨୨ରୁ କାଳବୈଶାଖୀ ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ କାଳବୈଶାଖୀ ପ୍ରଭାବ ବଢିବ । ଆସନ୍ତା ୩ରୁ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ଅନୁଭୂତ ହେବ । ତେଣୁ ବିଭିନ୍ନ ଜିଲ୍ଲା ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମ ଲହରୀ ପାଇଁ ଜାରି ହୋଇଥିବା ଚେତାବନୀ ହଟାଇ ଦିଆଯାଇଛି । ୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ତଳକୁ ଖସିବାର ସମ୍ଭାବନା ରହିଛି । ୨୩ ତାରିଖରେ କାଳବୈଶାଖୀର ସର୍ବାଧିକ ପ୍ରଭାବ ରହିବ ।
ଏହାମଧ୍ୟ ପଢନ୍ତୁ: ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ, ଲୁହରେ ଭିଜିଲା ଗାଁ