ଓଡିଶା

odisha

ଓଡ଼ିଶାକୁ ମିଳିବ ନୂଆ ପୋଲିସ ଡିଜି; ରେସରେ ବି ରାଧିକା, ସୁଧାଂଷୁ ଷଡଙ୍ଗୀଙ୍କ ସମେତ 7 IPS

By ETV Bharat Odisha Team

Published : Nov 14, 2023, 11:44 AM IST

Updated : Nov 14, 2023, 7:54 PM IST

ଡିସେମ୍ବର 31ରେ ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେବ । ସୁନୀଲଙ୍କ ପରେ କିଏ ହେବ ପରବର୍ତ୍ତୀ ପୋଲିସ ଡିଜି ! ସୁଧାଂଷୁ ଷଡଙ୍ଗୀ, ବି ରାଧିକାଙ୍କ ସମେତ ୱାଇ ବି ଖୁରାନିଆ ଚର୍ଚ୍ଚାରେ ରହିଛନ୍ତି । ଅଧିକ ପଢନ୍ତୁ

who is Next DGP of odisha
ଓଡିଶାକୁ ମିଳିବ ନୂଆ ପୋଲିସ ଡିଜି

ଓଡ଼ିଶାକୁ ମିଳିବ ନୂଆ ପୋଲିସ ଡିଜି

ଭୁବନେଶ୍ବର: କିଏ ହେବ ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି ? କିଏ ନେବ ରାଜ୍ୟ ପୋଲିସ ମୁଖିଆଙ୍କ ସ୍ଥାନ ? ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବର 31 ତାରିଖରେ ଶେଷ ହେଉଛି । ସୁନୀଲଙ୍କ ପରେ କିଏ ହେବ ନୂଆ ଡିଜିପି ଏହା ଉପରେ ସମସ୍ତଙ୍କ ନଜର ରହିଛି । ନୂଆବର୍ଷରେ ରାଜ୍ୟବାସୀଙ୍କୁ ନୂଆ ପୋଲିସ ମୁଖିଆ ମିଳିବେ । ତେବେ କିଏ ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି ହେବେ ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆ ଡିଜିପି ପାଇଁ ରାଜ୍ୟ ସରକାର 7 ଜଣ ବରିଷ୍ଠ ଆଇପିଏସଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ତେବେ ନୂଆ ଡିଜିପି ରେସରେ ସୁଧାଂଷୁ ଷଡଙ୍ଗୀ, ବି ରାଧିକାଙ୍କ ସମେତ ୱାଇ ବି ଖୁରାନିଆଙ୍କୁ ନେଇ ଚର୍ଚ୍ଚା ହେଉଛି । ମହିଳା ଆଇପିଏସ ବି. ରାଧିକାଙ୍କ ନାମ ପାୱାର କରିଡରରେ ଅଧିକ ଚର୍ଚ୍ଚା ହେଉଛି ।

ସୁନୀଲ ବଂଶଲଙ୍କ ପରେ କିଏ ପୋଲିସ ମୁଖିଆ ହେବେ ତାହାକୁ ନେଇ ଚର୍ଚ୍ଚାରେ ପ୍ରଥମ ଅଛନ୍ତି ୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକା । ଏବେ ତାଙ୍କ ଡେପୁଟେସନ ଅବଧିକୁ ସମାପ୍ତ କରିଛନ୍ତି କେନ୍ଦ୍ର ସରକାର । ଘରୋଇ ଓଡ଼ିଶା କ୍ୟାଡ଼ରକୁ ଫେରିଛନ୍ତି ବି ରାଧିକା । ଡେପୁଟେସନରୁ ଫେରିବା ପରେ ବି.ରାଧିକା ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ ହେବା ନେଇ ସମ୍ଭାବନା ବଢିଛି । ତେବେ ନିର୍ବାଚନକୁ ଆଖି ଆଗରେ ରଖି ସରକାର ମହିଳା କାର୍ଡ଼ ଖେଳିପାରନ୍ତି ବୋଲି ରାଜନୈତିକ ମହଲ ଓ ପାଓ୍ବାର କରିଡରରେ ଚର୍ଚ୍ଚା ହେଉଛି । ମହିଳା ବାଚସ୍ପତି ଭଳି ମହିଳା ଡିଜିପି ଭାବେ ବି.ରାଧିକାଙ୍କୁ ପୋଲିସ ମୁଖିଆ କରି ସରକାର ଇତିହାସ ସୃଷ୍ଟି କରିବା ନେଇ ଚର୍ଚ୍ଚା ହେଉଛି ।

୨୦୧୮ ଅକ୍ଟୋବରରୁ ରାଧିକା କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ୨୦୨୦ ନଭେମ୍ବରରେ ସୀମା ସୁରକ୍ଷା ବଳର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୪ ଜୁଲାଇରେ ସେ ଚାକିରିରୁ ଅବସର ନେବେ । ଅବସର ନେବାକୁ ଆଉ ମାତ୍ର ୮ମାସ ଥିବାବେଳେ ତାଙ୍କୁ ନିଜ କ୍ୟାଡ଼ରକୁ କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି । ବରିଷ୍ଠତା ଭିତ୍ତିରେ ଆଇପିଏସ୍ ରାଧିକାଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜିପି ଭାବେ ନିଯୁକ୍ତି ଦେବାର ସମ୍ଭାବନା ଅଧିକ ରହିଛି । ହେଲେ ସୁପ୍ରିମକୋର୍ଟ ନିୟମ ଅନୁସାରେ ଅନ୍ତତଃ ପକ୍ଷେ କାର୍ଯକାଳ ୨ବର୍ଷ ଥିବା ଦରକାର । ହେଲେ ସରକାର କାର୍ଯକାଳ ବଢାଇବେ ନା ନାହିଁ ତାହା ଅସ୍ପଷ୍ଟ ରହିଛି ।

ସେହିପରି ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ତଥା ବିଏସଏଫ୍‌ର କଲକାତାସ୍ଥିତ (ଇଷ୍ଟର୍ଣ୍ଣ କମାଣ୍ଡ) ସ୍ବତନ୍ତ୍ର ଡିଜି ୱାଇବି ଖୁରାନିଆଙ୍କ ଉପରେ ସରକାରଙ୍କ ଭରସା ଢେର ଅଧିକ ରହିଛି । ୱାଇ ବି ଖୁରାନିଆ ଆଇନ ବିଭାଗର ବିଷାରଦ ଛାଡ଼ି ଆଇପିଏସ୍‌ ଚାକିରି କରିଛନ୍ତି । ପୂର୍ବରୁ ସେ ଭୁବନେଶ୍ବର-କଟକ ପୋଲିସ କମିଶନର ଭାବେ କାର୍ଯ୍ୟ କରିଛନ୍ତି । ସେ ପୋଲିସ ଡିଜି ହୋଇପାରନ୍ତି ବୋଲି ଅଧିକ ସମ୍ଭାବନା ବଢିଛି । ବରିଷ୍ଠତା ଦୃଷ୍ଟିରୁ ଉପରୋକ୍ତ ଦୁଇ ଆଇପିଏସ୍‌ ଅଧିକାରୀଙ୍କ ନାମ ଚର୍ଚ୍ଚାରେ ରହିଥିବା ବେଳେ ବିରୋଧୀଙ୍କ ଅଣଓଡ଼ିଆ ଅଧିକାରୀ ନାରାକୁ ନେଇ ସରକାର ନିଷ୍ପତ୍ତିକୁ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେହିପରି ଅଗ୍ନିଶମ ଡିଜି ଭାବେ କାର୍ଯ୍ୟ କରୁଥିବା ସୁଧାଂଷୁ ଷଡଙ୍ଗୀଙ୍କ ନାମ ମଧ୍ୟ ପୋଲିସ ଡିଜି ରେସରେ ରହିଛି । ସୁନୀଲ ବଂଶଲଙ୍କ ପରେ 1990 ବ୍ୟାଚର ଆଇପିଏସ ଅଫିସର ସୁଧାଂଷୁ ଷଡଙ୍ଗୀ ପୋଲିସ ମୁଖିଆ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେଓଡ଼ିଆ ଅଧିକାରୀ ଭାବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ମଧ୍ୟ ପୋଲିସ ମୁଖିଆ ରେସରେ ରହିଛନ୍ତି ।

ବରିଷ୍ଠତା ଦୃଷ୍ଟିରୁ ୧୯୮୮ ବ୍ୟାଚ ଆଇପିଏସ୍ ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ପ୍ରଣବିନ୍ଦୁ ଆଚାର୍ଯ୍ୟ ଓ ଅମ୍ରିତ ମୋହନ ପ୍ରସାଦ ମଧ୍ୟ ରହିଛନ୍ତି । ହେଲେ ଏମାନଙ୍କ କାର୍ଯକାଳ ଅବଧି ଅଧିକ ସମୟ ନଥିବାରୁ ଏନେଇ ଦ୍ବନ୍ଦ ଉପୁଜିଛି । ପୁର୍ବରୁ ଅରୁଣଙ୍କ ଉପରେ ରାଜ୍ୟ ସରକାର ଖପ୍ପା ହୋଇଥିଲେ । ଗତ ଏପ୍ରିଲରେ ତାଙ୍କୁ ଅଚାନକ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଥିଲେ । ଅରୁଣଙ୍କୁ ବର୍ତ୍ତମାନ ଟେଷ୍ଟବୁକ୍ ପ୍ରେସ୍ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଦେଇଛନ୍ତି ।

ଏହା ବି ପଢନ୍ତୁ: ସରିଲା ଅଭୟଙ୍କ କାର୍ଯ୍ୟକାଳ, ଆଜି ଦାୟିତ୍ବ ନେବେ ନୂଆ DGP ସୁନୀଲ

ଆସନ୍ତା ଡିସେମ୍ବର 31 ତାରିଖରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ (DGP) ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେବ । 2021 ଡିସେମ୍ବର 31 ତାରିଖରେ ଦାୟିତ୍ବ ଗ୍ରହଣ କରିଥିଲେ ସୁନୀଲ ବଂଶଲ । ତେବେ ସୁନୀଲ ବଂଶଲଙ୍କ ପରେ ନୂଆବର୍ଷରେ ରାଜ୍ୟବାସୀଙ୍କୁ ନୂଆ ପୋଲିସ ମୁଖିଆ ମିଳିବେ । କିଏ ହେବ ନୂଆ ଡିଜିପି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ଓଡ଼ିଶା ପୋଲିସ ଇତିହାସରେ ଏପର୍ଯ୍ୟନ୍ତ ୩୫ ଜଣ ଡିଜିପି କାର୍ଯ୍ୟ କରିଛନ୍ତି । କେହିବି ମହିଳା ଡିଜିପି ହୋଇନାହାନ୍ତି । ଏଥର ପ୍ରଥମ ଥର ମହିଳା ଡିଜିପି ଦେଖିବାର ସୁଯୋଗ ମିଳିବ ନା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ମହିଳା କାର୍ଡ ଖେଳିବେ ତାହା ଉପରେ ନିର୍ଭର କରୁଛି ।

ଇଟିଭି ଭାରତ,ଭୁବନେଶ୍ବର

Last Updated : Nov 14, 2023, 7:54 PM IST

ABOUT THE AUTHOR

...view details