'ଦକ୍ଷିଣପୂର୍ବ ଏସୀୟ ଦେଶଗୁଡ଼ିକ ପାଇଁ ବାଣିଜ୍ୟ ମୁଖଶାଳା ହେବ ଓଡ଼ିଶା' ଭୁବନେଶ୍ବର:ଓଡ଼ିଶାରେ ପୁଞ୍ଜିନିବେଶକାରୀମାନେ କିପରି ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବେ ସେଥିଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିକାଶ ଲାଗି ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିବାର ଆବଶ୍ୟକତା ରହିଛି । ଏଥିଲାଗି ସର୍ବୋତ୍ତମ ସୁଯୋଗ ପ୍ରଦାନ କରି ଓଡ଼ିଶାକୁ ଏକ ଅଗ୍ରଣୀ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ଲାଗି ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି । ବରିଷ୍ଠ ଅଧିକାରୀ ସମ୍ମିଳନୀରେ ଶିଳ୍ପ ବିଭାଗ ପକ୍ଷରୁ 'ଓଡ଼ିଶା-ଭାରତର ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳୀ’ ଶୀର୍ଷକ ଅଧିବେଶନରେ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏ ନେଇ ସୂଚନା ଦେଇଛନ୍ତି ।
ଶିଳ୍ପ ସଚିବ କହିଛନ୍ତି, " ଶିଳ୍ପନୀତି ସଂଶୋଧନ ରାଜ୍ୟରେ ନୂଆ ପୁଞ୍ଜିନିବେଶକୁ ଆକର୍ଷିତ କରିବାକୁ ପ୍ରେରଣା ଯୋଗାଇବ । ଏହି ନୀତିରେ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ଏବଂ ଓଡ଼ିଶାରେ ସ୍ଥାୟୀ ଶିଳ୍ପ ବିକାଶ ସକାଶେ ସୁଯୋଗ ସୃଷ୍ଟି କରାଯାଇଛି । ଇଡକୋ ଦ୍ବାରା ଅଧିକ ଜମି କ୍ରୟ କରିବା, ଶିଳ୍ପପୁଞ୍ଜ, MSME ପାର୍କ ଏବଂ କ୍ଲଷ୍ଟର ବିକାଶ କରିବା ଉପରେ ସେ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଛନ୍ତି । ରାଜ୍ୟର ରାଜନୀତି, ମାନବ ସମ୍ବଳ, ଅର୍ଥନୀତି, ଭୌଗୋଳିକ ପରିସ୍ଥିତି ଏବଂ ନୀତିଗତ ସୁବିଧା ରହିଥିବା ଯୋଗୁଁ ଗତ କିଛି ବର୍ଷରେ ଶିଳ୍ପ କ୍ଷେତ୍ରରେ ପୁଞ୍ଜିବିନିଯୋଗକାରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
ଏହା ବି ପଢନ୍ତୁ- କାହିଁକି ଥାର୍ଡ ଫ୍ଲୋରକୁ ଟାର୍ଗେଟ କଲେ ବିଜୟ ?
ରାଜ୍ୟ ସରକାରଙ୍କ ସଂଗଠିତ ଉଦ୍ୟମ ଯୋଗୁଁ ମେକ ଇନ ଓଡ଼ିଶା କନକ୍ଲେଭରେ ୧୦ଲକ୍ଷ କୋଟିରୁ ଊର୍ଦ୍ଧ୍ବ ପୁଞ୍ଜିନିବେଶ କରିବାରେ ସୁଯୋଗ ସୃଷ୍ଟି ହୋଇଛି ।" ଅନୁଗୋଳ ଜିଲ୍ଲାପାଳ ଜିଲ୍ଲା ପୁଞ୍ଜିନିବେଶ ପ୍ରୋତ୍ସାହନ କାର୍ଯ୍ୟକ୍ରମରୁ ସାଉଁଟିଥିବା ଅଭିଜ୍ଞତାକୁ ସମ୍ମିଳନୀରେ ବର୍ଣ୍ଣନା କରିଛନ୍ତି । ୨୦୨୨ ମସିହାରେ ଅନୁଗୋଳର ଶିଳ୍ପ ଭିତ୍ତିଭୂମି ଦୃଶ୍ୟପଟ୍ଟର ଚିତ୍ର ଉପସ୍ଥାପନ କରି ସମୟ ମଧ୍ୟରେ ପ୍ରକଳ୍ପ ଆରମ୍ଭ କରିବାକୁ ୧୦ ସୂତ୍ରୀ କାର୍ଯ୍ୟ ସମ୍ପର୍କରେ ଧାରଣା ଦେଇଛନ୍ତି । ଯାହା ଅନ୍ୟ ଜିଲ୍ଲାପାଳମାନଙ୍କ ଅନୁସରଣଯୋଗ୍ୟ ।
ଝାରସୁଗୁଡ଼ା ଜିଲ୍ଲାପାଳ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ଜମି ଯୋଗାଇବା ଏବଂ ଜମି ଅଧିଗ୍ରହଣ କ୍ଷେତ୍ରରେ ଜିଲ୍ଲାସ୍ତରରେ ଦେଖାଦେଉଥିବା କେତେକ ସମସ୍ୟା ଉପରେ ଆଲୋଚନା କରି ତାର ସମାଧାନର ସୂତ୍ର ଉଲ୍ଲେଖ କରିଛନ୍ତି । ଯାହା ଶିଳ୍ପାୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିପାରିବ । ଜଗତସିଂହପୁର ଜିଲ୍ଲାପାଳ ଅଧିବେଶନରେ ଜିଲ୍ଲା ପୁଞ୍ଜି ନିବେଶ ପ୍ରୋତ୍ସାହନ ସଂସ୍ଥା ଦ୍ବାରା ଜିଲ୍ଲାରେ କରାଯାଉଥିବା କେତେକ ସର୍ବୋତ୍ତମ କାର୍ଯ୍ୟାବଳୀର ବର୍ଣ୍ଣନା କରିଛନ୍ତି ।
ଜିଲ୍ଲାଗୁଡ଼ିକରେ ପୁଞ୍ଜିନିବେଶ ପ୍ରୋତ୍ସାହନ କାର୍ଯ୍ୟକ୍ରମ, ନୂତନ ପ୍ରକଳ୍ପ ପାଇଁ ନିବେଶକାରୀଙ୍କୁ ଆକର୍ଷିତ କରିବା ଆଦି କାର୍ଯ୍ୟ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏକ ୧୨ ମାସିଆ କାର୍ଯ୍ୟସାରଣୀ ପ୍ରସ୍ତୁତ ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତା ମାର୍ଚ୍ଚରୁ ଫେବୃଆରୀ ୨୦୨୪ ଯାଏଁ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏହା ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ହବ ଭାବେ ପରିଗଣିତ କରିବାରେ ସରକାରଙ୍କୁ ସାହାଯ୍ୟ କରିବ । ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ପାଇଁ ଦେଶର ବାଣିଜ୍ୟ ମୁଖଶାଳା ଭାବେ ବିବେଚିତ ହେବ ।
ଇଟିଭି ଭାରତ, ଭୁବନେଶ୍ବର