ଭୁବନେଶ୍ବର: ବିଗତ 4 ବର୍ଷ ମଧ୍ୟରେ ରାଜ୍ୟ ଆଇଟି ବଜେଟ 2018-19ରେ 125 କୋଟିରୁ ବୃଦ୍ଧି ପାଇ 2022-23ରେ 1000 କୋଟିରେ ପହଞ୍ଚିଛି । ଏହା ଦ୍ବାରା ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିଛି । ଅଧିକ ନିଯୁକ୍ତି ସୃଷ୍ଟିର ସମ୍ଭାବନା ତଥା ସରକାରୀ ସେବା ସେବାକୁ ସରଳୀକରଣ କରି ସହଜରେ ଲୋକମାନଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଚଳିତବର୍ଷ ଇଲେକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବଜେଟକୁ 356 କୋଟିକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଡାଟାର ନିର୍ଭର ଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀଠାରେ ସମୁଦ୍ର ଭିତରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ପ୍ରତିଷ୍ଠାର ଯୋଜନା କରଯାଇଛି । ଏହି ଲ୍ୟାଣ୍ଡିଂ ଷ୍ଟେସନର ପ୍ରତିଷ୍ଠା ଡାଟା ସେଣ୍ଟର, ଚିତ୍ତବିନୋଦନ, ଦୂରସଂଚାର ଏବଂ ଫିନଟେକର ବଜାରକୁ ସଶକ୍ତ କରିବ । ତେଣୁ ଓଡିଶା ଆଗାମୀ ଦିନରେ ପୂର୍ବ, କେନ୍ଦ୍ରୀୟ ଏବଂ ଉତ୍ତରପୂର୍ବ ଭାରତ ପାଇଁ ଡିଜିଟାଲ ହବ ଭାବେ ଉଭା ହେବ । ଚଳିତ 2023-24 ଆର୍ଥିକ ବର୍ଷର ବଜେଟ ଆବଣ୍ଟନ ପରେ ଆଇଟି ବିଭାଗକୁ ମିଳିଥିବା ଅନୁଦାନ ଓ ଯୋଜନା ସମ୍ପର୍କରେ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ଏହାବି ପଢନ୍ତୁ- ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗର ଶେଷ ନିଷ୍ପତି ଓଡିଶା ସରକାର ନେବେ: କେନ୍ଦ୍ର ଆଇନ ମନ୍ତ୍ରୀ
ବିଭାଗୀୟ ସଚିବ ମନୋଜ ମିଶ୍ର କହିଛନ୍ତି ‘‘ରାଜ୍ୟର ବିକାଶରେ ଇଲେକଟ୍ରନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଓଡିଶା ଏକ ଜ୍ଞାନ ଆଧାରିତ ଅର୍ଥନୀତି ରାଜ୍ୟରେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବାସ ରଖିଛନ୍ତି । ତେଣୁ ଇଲେକଟ୍ରନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ଗୁଡିକୁ ରାଜ୍ୟକୁ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି । ସରକାର 4ଟି ନୂଆ ନୀତି ଅନୁମୋଦନ କରିଛନ୍ତି । ସେଗୁଡିକ ହେଲା ଇଲେକ୍ଟ୍ରୋନିକ୍ସ ନୀତି, ପ୍ରଯୁକ୍ତିବିଦ୍ୟା ନୀତି, ବିପିଓ ନୀତି ଓ ଡାଟା ସେଣ୍ଟର ନୀତି । ଏହି ନୀତିଗୁଡିକ ଗୁରୁତ୍ବପୂର୍ଣ୍ଣ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ।’’ ଗତ କିଛି ମାସ ମଧ୍ୟରେ ସରକାର ମେକ ଇନ ଓଡ଼ିଶା କନକ୍ଲେଭ ସମୟରେ ସ୍ବାକ୍ଷରିତ ପୁଞ୍ଜି ବିନିଯୋଗ ଉଦ୍ଦେଶ୍ୟ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଆଇବିଏମ, ଡେଲୋଏଟ, ହାପିଷ୍ଟ ମାଇଣ୍ଡସ ଏବଂ ଅନ୍ୟାନ୍ୟ ଆଇଟି କମ୍ପାନି ଓଡିଶାରେ ସେମାନଙ୍କର କେନ୍ଦ୍ର ଖୋଲି ସାରିଛନ୍ତି । ଆହୁରି ଅନେକ କମ୍ପାନି ଓଡିଶାରେ ସେମାନଙ୍କ କେନ୍ଦ୍ର ପ୍ରତିଷ୍ଠା ପ୍ରକ୍ରିୟାରେ ଅଛନ୍ତି ।