ଭୁବନେଶ୍ବର: ଶିକ୍ଷକ ଆନ୍ଦୋଳନ ଦୁଇ ଫାଳ। ଗୋଟିଏ ପଟେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନିଆଯାଇଥିବାବେଳେ ଅନ୍ୟପଟେ ଆନ୍ଦୋଳନ ଜାରି ନିଷ୍ପତ୍ତି ହୋଇଛି। ତେବେ କିଛି ଶିକ୍ଷକ ସଂଘ ସ୍ଥଗିତକୁ ସମର୍ଥନ ଦେଉଥିବାବେଳେ ଆଉ କିଛି ଶିକ୍ଷକ ସଂଘ ଏହାକୁ ବିରୋଧ କରୁଛନ୍ତି। ଯାହାକୁ ନେଇ ଏବେ ଦ୍ଵନ୍ଦ ସୃଷ୍ଟି ଉପୁଜିଛି । ଆସନ୍ତାକାଲିଠାରୁ କିଛି ଶିକ୍ଷକ ସଂଘ ସ୍କୁଲ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ଆଉ କିଛି ଶିକ୍ଷକ ସଙ୍ଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି।
ଗୋଟିଏ ପଟେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଶିକ୍ଷକ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ନେଇ ସ୍ପଷ୍ଟ କରିଥିବାବେଳେ ଅନ୍ୟପଟେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆନ୍ଦୋଳନ ଜାରି ରହିବା ନେଇ ସ୍ପଷ୍ଟ କରିଛି। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ କହିଛି , "ଏହି ଆନ୍ଦୋଳନ ସ୍ଥଗିତ ନିଷ୍ପତି ଏକପାଖିଆ। ଏଥିରେ କେବଳ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଏକତରଫା ନିଷ୍ପତି ନେଇ ଆନ୍ଦୋଳନ ସ୍ଥଗିତ ଘୋଷଣା କରିଛି। ହେଲେ ସମସ୍ତ ଶିକ୍ଷକ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ। ଆଜିଠାରୁ ନିଜସ୍ଵ ବ୍ୟାନର ଅଧୀନରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆନ୍ଦୋଳନ ଜାରି ରଖିବ।"
ସରକାରଙ୍କ ସହ ସକାରାତ୍ମକ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ। ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗଦେବେ କିଛି ଶିକ୍ଷକ ଶିକ୍ଷୟତ୍ରୀ। ଡିସେମ୍ବର ସୁଦ୍ଧା ସରକାର ଦାବି ପୂରଣ କରିବା ନେଇ ଦିଆଯାଇଛି ପ୍ରତିଶୃତି। ଡିସେମ୍ବର ସୁଦ୍ଧା ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଉତ୍କଳ ଶିକ୍ଷକ ସଂଘl ଏନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ ଚାରୁଲତା ମହାପାତ୍ର କହିଛନ୍ତି , "ସରକାରଙ୍କ ସହ ଆମର ସକାରାତ୍ମକ ଆଲୋଚନା ହୋଇଛିl ସରକାର ଆମକୁ ପ୍ରତିଶୃତି ଦେଇଛନ୍ତି l ଡିସେମ୍ବର ସୁଦ୍ଧା ସମସ୍ତ ଦାବି ପୂରଣ ହେବ। ତେଣୁ ସରକାର ପ୍ରତିଶୃତି ଦେବା ପରେ ଆସନ୍ତାକାଲିଠାରୁ ଆମେ କାର୍ଯ୍ୟରେ ଯୋଗ ଦେବା ସହ ପାଠ ପଢାଇବୁ। ତେବେ ଡିସେମ୍ବର ସୁଦ୍ଧା ଦାବି ପୂରଣ ନହେଲେ ପୁଣି ଥରେ କାର୍ଯ୍ୟବନ୍ଦ ଆନ୍ଦୋଳନ ତୀବ୍ରତର ହେବ ।"