ଭୁବନେଶ୍ବର: ରାଜ୍ୟ ପଣ୍ୟାଗାର ନିଗମର ୬୬ତମ ପ୍ରତିଷ୍ଠା ଦିବସ ଭୁବନେଶ୍ବର ପାନ୍ଥନିବାସ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଣ୍ୟାଗାର ନିଗମର ଭବିଷ୍ୟତରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼କର ସମୀକ୍ଷା କରାଯାଇଥିଲା । ୧୯୫୮ ମସିହାରେ ମାତ୍ର ୫୦୦ ମେଟ୍ରିକ୍ ଟନ ଗୋଦାମ ଘରୁ ଏହି ନିଗମ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଏବେ ୫ ଲକ୍ଷ ୨୧ ହଜାର ୪୦୦ ମେଟ୍ରିକ୍ ଟନ କ୍ଷମତା ବିଶିଷ୍ଟ ଗୋଦାମ ଘର ପରିଚାଳନା କରୁଛି । ବର୍ତ୍ତମାନ ରାଜ୍ୟରେ ସମୁଦାୟ ୬୮ଟି ଗୋଦାମ ରହିଛି । ଆଗାମୀ ଦିନମାନଙ୍କରେ ୫-ଟି ଆଧାରରେ ଏହି ଗୋଦାମ ଗୁଡ଼ିକର ବିକାଶ କରାଯିବା ସହ ଷ୍ଟକ ବଢାଯିବା ପାଇଁ ସ୍ଥିର କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢାଇ କହିଛନ୍ତି ।
ସେହିପରି ୫-ଟି ମନ୍ତ୍ରର ସଦୁପଯୋଗ କରି ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମକୁ ରାଜ୍ୟର ସର୍ବୋତ୍କୃଷ୍ଟ ନିଗମର ମାନ୍ୟତା ଦେବା ପାଇଁ ନିଗମର ଅଧିକାରୀ ଓ କର୍ମଚାରୀମାନେ ସଂକଳ୍ପବଦ୍ଧ ହୁଅନ୍ତୁ ବୋଲି ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆହ୍ୱାନ କରିଛନ୍ତି । ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଆଜି ରାଜ୍ୟର ୩୦ଟି ଜିଲ୍ଲାର ୬୮ଟି ସ୍ଥାନରେ ୫ ଲକ୍ଷ ୨୧ ହଜାର ୪୦୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଗୋଦାମଘର ପରିଚାଳନା କରିବା ଗୌରବର ବିଷୟ । ଏହା ନିଗମରେ କାର୍ଯ୍ୟରତ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠାପର ଅବଦାନ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ନିଗମକୁ ସ୍କଚ୍ ଅର୍ଡର ଅଫ୍ ମେରିଟ୍-୨୦୨୨ରେ ସମ୍ମାନିତ କରାଯିବା ନିଗମ ପାଇଁ ସମ୍ମାନର ବିଷୟ । ୮୦ ଦଶକ ପର୍ଯ୍ୟନ୍ତ ଓଡ଼ିଶା ଅଭାବୀ ରାଜ୍ୟ ଭାବେ ପରିଗଣିତ ହେଉଥିଲା । ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆମେ ବଳକା ରାଜ୍ୟ । ୫ ଥର କୃଷିକର୍ମଣ ପୁରସ୍କାର ମିଳିସାରିଛି । ଧାନ ସଂଗ୍ରହରେ ଓଡ଼ିଶା ଦେଶରେ ସବୁଠୁ ଆଗରେ ଅଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଆମେ କୃତିତ୍ୱ ଅର୍ଜନ କରି ପ୍ରଶଂସା ସାଉଁଟିଛୁ । ପ୍ରଚୁର ଖାଦ୍ୟଶସ୍ୟ ଉତ୍ପାଦନ ଯେତିକି ଜରୁରୀ ତା’ର ସମୁଚିତ ସଂରକ୍ଷଣ ତାହା ଠାରୁ ଅଧିକ ଆବଶ୍ୟକ । ରାଜ୍ୟ ପଣ୍ୟାଗାର ନିଗମ ସେହି ମହତ୍ତ୍ୱପୂର୍ଣ୍ଣ ଭୂମିକା ସୁଚାରୁରୂପେ ନିର୍ବାହ କରିଚାଲିଛି ।