ଭୁବନେଶ୍ବର:ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ସବୁ ସୀମାନ୍ତ ଜିଲ୍ଲାରେ ଏବେ ବି ହାଇଆର୍ଲଟ ଜାରି ରହିଛି । ବିଶେଷକରି ଛତିଶଗଡକୁ ଲାଗିଥିବା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ପୂର୍ବରୁ ହାଇଆଲର୍ଟରେ ଥିବାବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଓଡ଼ିଶାକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥାନ୍ତି । ତେଣୁ ଦନ୍ତେୱାଡା ଆକ୍ରମଣ ଘଟଣା ପରେ ଛତିଶଗଡରୁ ମାଓବାଦୀମାନେ କିଭଳି ରାଜ୍ୟକୁ ନଆସିବେ ସେଥିପାଇଁ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି । ଏନେଇ ଏଡିଜି(ଅପରେସନ) ଅମିତାଭ ଠାକୁର ସୂଚନା ଦେଇଛନ୍ତି ।
ଓଡି଼ଶାକୁ ମାଓବାଦୀଙ୍କ ପ୍ରବେଶ ରୋକିବାକୁ ସୀମାନ୍ତ ଜିଲ୍ଲାଗୁଡିକୁ ସିଲ୍ କରାଯାଇଛି । ସୀମାନ୍ତ ଜିଲ୍ଲାର ଏସପିମାନଙ୍କ ସହ ଭିଡିଓ କନ୍ଫେରେନ୍ସି ଜରିଆରେ ସ୍ଥିତିର ଅନୁଧ୍ୟାନ କରାଯାଉଥିବା ଏଡିଜି କହିଛନ୍ତି । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଛି । ଯେତେବେଳେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି ସେମାନେ ଏହିଭଳି କାହାଣୀ ପୋଲିସ ଆଗରେ କହୁଛନ୍ତି । ତେଣୁ ସମସ୍ତ ମାଓବାଦୀଙ୍କୁ ଅପିଲ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏଡିଜି ଅମିତାଭ ଠାକୁର ଅପିଲ୍ କରିଛନ୍ତି ।
ସୂଚନା ଅନୁଯାୟୀ, ଛତିଶଗଡ଼ରେ ଆଇଡି ବିସ୍ଫୋରଣ ପରେ ଏହି ରାଜ୍ୟକୁ ଲାଗିଥିବା ନବରଙ୍ଗପୁର ଜିଲ୍ଲା ସୀମାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାରି ଭିତରେ ସାଥୀ ମାଓବାଦୀଙ୍କ ସହ ମାଓ କମାଣ୍ଡର ମୁରଲୀ ପଡ଼ୋଶୀ ରାଜ୍ୟର ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ସୂଚନା ଦେଇଥିଲେ ବରିଷ୍ଠ ପୁଲିସ ଅଧିକାରୀ । ମଙ୍ଗଳବାର ନବରଙ୍ଗପୁର ସୀମାବର୍ତ୍ତୀ ରାଇଘର ଏବଂ ପଡ଼ୋଶୀ ଛତିଶଗଡ଼ର ଗରିଆବନ୍ଧ-ଶୋଭା ଅଞ୍ଚଳରେ କିଛି ନକ୍ସଲ କମାଣ୍ଡର ଥିବା ନେଇ ପୋଲିସକୁ ଗୁଇନ୍ଦା ବିଭାଗଠାରୁ ସୂଚନା ମିଳିଥିଲା । ଏସଓଜି ଯବାନଙ୍କ ଦୁଇଟି ୟୁନିଟ ରାତିରୁ ସେହି ଅଞ୍ଚଳରେ ଅପରେସନ ଆରମ୍ଭ କରିଦେଇଥିଲେ ।