ଭୁବନେଶ୍ବର: ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ ପ୍ରକୋଷ୍ଠରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବୈଠକରେ ଅଧ୍ୟକ୍ଷତା କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ବିଭାଗର ସ୍ୱଚ୍ଛତା ବଜାୟ ରଖିବା ଲକ୍ଷ୍ୟ ନେଇ ସମ୍ପୂର୍ଣ୍ଣ ଡିଜିଟାଇଜେସନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଣିକି ବିଭାଗର ସମସ୍ତ ପ୍ରକଳ୍ପ ଅନଲାଇନରେ ଅପଲୋଡ ହେବ । ଏହାସହିତ କ୍ଷେତ୍ରସ୍ତରୀୟ କାର୍ଯ୍ୟ ପ୍ରଶାସନିକ ଅନୁମୋଦନ, ଇ-ମେଜରମେଣ୍ଟ, ପ୍ରୋକ୍ୟୋରମେଣ୍ଟ ଆଦି ଅନଲାଇନ ମାଧ୍ୟମରେ ହେବ ।
ଯେକୌଣସି ପ୍ରକଳ୍ପର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପ୍ରତ୍ୟେକଟି କାର୍ଯ୍ୟକୁ ଭିଡିଓଗ୍ରାଫି/ ଫଟୋଗ୍ରାଫି ମାଧ୍ୟମରେ ଉତ୍ତୋଳନ କରାଯାଇ ଦସ୍ତାବିଜ ପ୍ରସ୍ତୁତ କରାଯିବ । ଏଣୁ କାର୍ଯ୍ୟକାରୀ ହେଉଥିବା ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ ତଥା ସୁବିନିଯୋଗ ନିମନ୍ତେ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିମ୍ନସ୍ତରର ଅଧିକାରୀମାନେ ସମସ୍ତେ ଉତ୍ତରଦାୟୀ ରହିବା ଜରୁରୀ । ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ସହିତ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଓ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି ।