ଓଡିଶା

odisha

By

Published : Apr 8, 2023, 11:00 PM IST

ETV Bharat / state

ସରିଲା ଜିରୋ ଫାଟାଲିଟି ସପ୍ତାହ, ଚିନ୍ତା ବଢ଼ାଉଛି ବିଦ୍ୟୁତଚାଳିତ ଯାନ

ସରିଲା ଜିରୋ ଫାଟାଲିଟି ସପ୍ତାହ । ସଡ଼କ ଦୁର୍ଘଟଣା ରୋକିବାକୁ ୭ ଦିନିଆ ପରୀକ୍ଷଣମୂଳକ କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ଚାଲିଥିବା ବେଳେ ବିଦ୍ୟୁତଚାଳିତ ଯାନ ଚଳାଉଥିବା ଚାଳକ ମାନେ ଅଧିକାଂଶ ନିୟମ ଉଲ୍ଲଙ୍ଘନ କରୁଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ସରିଲା ଜିରୋ ଫାଟାଲିଟି ସପ୍ତାହ
ସରିଲା ଜିରୋ ଫାଟାଲିଟି ସପ୍ତାହ

ସରିଲା ଜିରୋ ଫାଟାଲିଟି ସପ୍ତାହ

ଭୁବନେଶ୍ବର: ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ଆକ୍ସନ ପ୍ଲାନ୍ । ସରିଲା ୭ ଦିନିଆ ପରୀକ୍ଷଣମୂଳକ କାର୍ଯ୍ୟକ୍ରମ । ଜିରୋ ଫାଟାଲିଟି ସପ୍ତାହ‌ ଭାବେ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ସରିଲା । ଏହାରି ଭିତରେ ସାମ୍ନାକୁ ଆସିଛି ଭୁବନେଶ୍ବରର ଚିତ୍ର । ଅନେକ ସମୟରେ ଦୁର୍ଘଟଣାର କାରଣ ହୋଇଥାଏ ଭୁଲ ଦିଗରେ ଗାଡି ଚାଳନା । ଯାହାକୁ ନେଇ ଜିରୋ ଫାଟାଲିଟି ସମୟରେ ହୋଇଥିବା ରଙ୍ଗ୍‌ ସାଇଡ୍‌ ଡ୍ରାଇଭ୍ ଚେକିଂ ବେଳେ ଅଧିକାଂଶ ବିଦ୍ୟୁତଚାଳିତ ଯାନ ଚଳାଉଥିବା ଚାଳକ ମାନେ ଅଧିକାଂଶ ନିୟମ ଉଲ୍ଲଙ୍ଘନ କରୁଥିବା ଜଣାପଡ଼ିଛି ।

ବିଶେଷ କରି ଯେଉଁ ବିଦ୍ୟୁତଚାଳିତରେ ୪୦କିମି ଘଣ୍ଟା ପ୍ରତି ବେଗରୁ କମ ସ୍ପିଡର କ୍ଷମତା ରହିଛି, ସେସବୁ ଅଧିକାଂଶ ଗାଡ଼ିର ନମ୍ୱର ପ୍ଲେଟ ନଥିବା ବେଳେ ଏଥିପାଇଁ ନମ୍ବର ପ୍ଲେଟ ଆଲର୍ଟ ହୋଇନଥାଏ । ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଓ ୧୮ ବର୍ଷରୁ କମ କଲେଜ ପିଲା ଏସବୁ ବିଦ୍ୟୁତଚାଳିତ ଗାଡି ଚଳାଉଥିବା ଦେଖିବାକୁ ମିଳିଛି । ଯାହାକି ଅନେକ ସମୟରେ ରଙ୍ଗ୍‌ ସାଇଡ୍‌ରେ ପଶି ଡ୍ରାଇଭ କରିବା ସାମ୍ନାକୁ ଆସିଛି । ଯାହାକୁ ନା ଫାଇନ୍‌ କଷି ହେଉଛି ନା ସେମାନଙ୍କ ବିରୋଧରେ ଚାଲାଣ କାଟିବାରେ ସମର୍ଥ ହୋଇପାରୁଛନ୍ତି ଟ୍ରାଫିକ ବା ଆରଟିଓ କର୍ମଚାରୀ । ଫଳରେ ଅଧିକାଂଶ ବିଦ୍ୟୁତଚାଳିତ ଦୁଇ ଚକିଆ ଯାନ ଏପରି ନିୟମ ଭାଙ୍ଗୁଥିବାର ଦେଖିବାକୁ ମିଳିଛି ।

ଏନେଇ ପ୍ରଶାସନିକ ସ୍ତରରେ ଏସବୁ ଗାଡି ଚାଳକ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆକ୍ସନ କଣ ନିଆଯିବ, ସେନେଇ ବିଚାର ବିମର୍ଶ ଚାଲିଛି । ତେବେ ଏହି ସୁଯୋଗର ଫାଇଦା ନେଇ ବିଦ୍ୟୁତଚାଳିତ ଗାଡ଼ି ଚାଳକ ମାନେ ବିଶେଷ କରି ଯୁବପିଢି କଲେଜ ଓ ସ୍କୁଲ ପଢୁଆ ପିଲା ଚାଲାଣର ଭୟ ନଥିବାରୁ ଏପରି ନିୟମ ଉଲ୍ଲଙ୍ଘନ କରୁଥିବାର ଦେଖିବାକୁ ମିଳିଛି । ଏଥିପାଇଁ ଦୁର୍ଘଟଣା ବଢ଼ିବାର ଆଶଙ୍କା କରାଯାଉଛି । ତେବେ ଏଥିପାଇଁ ମୋଟର ଭେଇକିଲ ଆକ୍ଟର ପରିସରରେ ବିଦ୍ୟୁତଚାଳିତ ଯେହେତୁ ଆସୁନାହିଁ, ସେ ଦିଗରେ ବିଚାର ବିମର୍ଶ ଚାଲିଛି ।

ଏନେଇ ସ୍କୁଲ ଓ କଲେଜ ସ୍ତରରେ ପିଲାଙ୍କୁ ସଚେତନ କରାଯାଉଛି ବୋଲି ଟ୍ରାଫିକ ଏସିପି ଶ୍ବସ୍ତିକ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଗତ ୧ ତାରିଖରୁ ୭ ତାରିଖ ଯାଏଁ ଆରଟିଓ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ହୋଇଥିଲା କଡାକଡି ଟ୍ରାଫିକ ଚେକିଂ । ବିଶେଷ କରି ଦୁର୍ଘଟଣାସ୍ଥଳ ମାନଙ୍କରେ ଏନଫୋର୍ସମେଣ୍ଟ ସହ ୧୯ଟି ବ୍ଲାକ ସ୍ପଟ ଉପରେ ରଖାଯାଇଥିଲା ନଜର । ତେବେ ଭୁବନେଶ୍ବରରେ ଏହି ସପ୍ତାହ ମଧ୍ୟରେ ମାତ୍ର ଗୋଟିଏ ଫାଟାଲିଟିର ଅଫିସିଆଲ ରିପୋର୍ଟ ଆସିଥିବା ବେଳେ ଆଉ କିଛି ଫାଟାଲିଟିର ରିପୋର୍ଟ ଅନେକ ଥାନା ଦେଇନାହାନ୍ତି ବା ଆସିନାହିଁ ।

ଜିରୋ ଫାଟାଲିଟି ପାଇଁ ବିଭିନ୍ନ ସ୍ଥାନରେ ଚେକିଂ ବେଳେ ବିନା ହେଲମେଟରେ ୨ ହଜାର ୧୩୮ ଜଣ, ରଙ୍ଗ୍‌ ସାଇଡ୍‌ ଡ୍ରାଇଭ୍ ପାଇଁ ୩୨୮ ଜଣ, ମୋବାଇଲରେ କଥା ହୋଇ ଡ୍ରାଇଭ୍ କରି ୧୯ ଜଣ, ତିନି ଜଣିଆ ଯାତ୍ରା ବେଳେ ୩୮ ଜଣ, ବିନା ସିଟ୍‌ ବେଲ୍ଟରେ ୩୬ ଜଣ ଏବଂ ଓଭର ଲୋଡ ଭାବେ ୫୨ ଜଣଙ୍କୁ ଚିହ୍ନଟ କରାଯାଇ ଏମଭିଆଇ ଆକ୍ଟରେ ଫାଇନ ଚାଲାଣ କରାଯାଇଛି । ୨ ହଜାର ୮୦୨ଟି ଚାଲାଣ ରଖାଯାଇଥିବା ବେଳେ ୨୫ ଲକ୍ଷ ୭୮ ହଜାର ୫୦୦ ଟଙ୍କା ଫାଇନ କଟାଯାଇଛି । ୧୪୫ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ଏହାସହ ୨୧୧ଟି ଗାଡ଼ିକୁ ପୋଲିସ ରାସ୍ତା ଉପରୁ ଉଠାଇ ଆଣିଥିଲା ।" ତେବେ ଏନେଇ ରାଜ୍ୟବ୍ୟାପୀ ହୋଇଥିବା ଏହି ସପ୍ତାହବ୍ୟାପୀ ରିପୋର୍ଟ ଆଧାରରେ ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଛନ୍ତି ଟ୍ରାଫିକ ଏସିପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details