ଓଡିଶା

odisha

By ETV Bharat Odisha Team

Published : Nov 26, 2023, 8:21 PM IST

ETV Bharat / state

ଓଡ଼ିଶା ଗବେଷଣା କେନ୍ଦ୍ର ଉଦଘାଟିତ, ଯୋଗଦେଲେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆଜି (ରବିବାର) ଓଡ଼ିଶା ଗବେଷଣା କେନ୍ଦ୍ରର ଉଦଘାଟନ ହୋଇଥିବା ବେଳେ ଏହାର ପ୍ରତିଷ୍ଠା ଭୁବନେଶ୍ବରରେ IIT କ୍ୟାମ୍ପସରେ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

Odisha Research center
Odisha Research center

ଓଡ଼ିଶା ଗବେଷଣା କେନ୍ଦ୍ର ଉଦଘାଟିତ

ଭୁବନେଶ୍ବର:ଓଡ଼ିଶା ଗବେଷଣା କେନ୍ଦ୍ର ଆଜି (ରବିବାର) ଉଦଘାଟିତ ହୋଇଯାଇଛି । ଭୁବନେଶ୍ବର ସିଏସଆଇଆର ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି କ୍ୟାମ୍ପସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ରାଜ୍ୟପାଳ ରଘୁବର ଦାସ ଏହାର ଉଦଘାଟନ କରିଛନ୍ତି । ଏହି ଅବସରରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ତେବେ ଏହି ଗବେଷଣା କେନ୍ଦ୍ରର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଶାର କୀର୍ତ୍ତିରାଜକୁ ଲୋକଲୋଚନକୁ ଆଣିବା ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ହଜାର ବର୍ଷ ତଳର ପରମ୍ପରା କଣ ଥିଲା ? ଓଡ଼ିଶା ଲୋକ ଭାତ ଡାଲି କାହିଁକି ଖାଆନ୍ତି ? ମାଣ୍ଡିଆ କାହିଁକି ଖାଆନ୍ତି ? ଓଡ଼ିଆ ଜନଜୀବନ ଉପରେ ଗବେଷଣା ଆବଶ୍ୟକ ଅଛି । ଓଡ଼ିଆ ଭାବୁଛି କଣ ? ବିଜ୍ଞାନ, ସ୍ବାସ୍ଥ୍ୟ ନୀତି କଣ ଥିଲା ? ଉତ୍କଳ ଗୌରବ ମଧୁସୂଦନ ଦାସ ଜଣେ ଖ୍ରୀଷ୍ଟିଆନ ହୋଇ ମଧ୍ୟ ଓଡ଼ିଆ ଏବଂ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ଓକିଲ ଭାବେ ଲଢେଇ କରିଥିଲେ । ସନ୍ଥ କବି ଭୀମ ଭୋଇ ସହିଷ୍ଣୁତା କଥା କହିଥିଲେ । ଓଡ଼ିଆ ଜାତିର ଅର୍ଥନୈତିକ ସମୃଦ୍ଧିର ବୟସ କେତେ ? ଏହା ଉପରେ ଗବେଷଣା ହେବା ଦରକାର । ଓଡ଼ିଶା ଜାତିର ହଜାର ହଜାର ବର୍ଷର ଇତିହାସ ଅଛି । କଳିଙ୍ଗ ଯୁଦ୍ଧ ସମୟରେ ଓଡ଼ିଶାରେ ପ୍ରଜାତନ୍ତ୍ର ଥିଲା । ଓଡ଼ିଶା କଳା ସଂସ୍କୃତି ଓ ଇତିହାସର ଗବେଷଣା ହେଲେ ସାମ୍ନାକୁ ଆସିବ ନୂଆ ନୂଆ ତଥ୍ୟ ।"

ଏହା ବି ପଢନ୍ତୁ- ଆମ ଲୋକକଳା ସଂସ୍କୃତି ଉତ୍ସଵ: ମନମୋହିଲା ଡାଲ ଖାଇ ନୃତ୍ୟ

ଓଡ଼ିଶା ସର୍ବଭାରତୀୟ ସମାଜରେ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ସଭ୍ୟତା । ଓଡ଼ିଶାର ଲମ୍ବା ଇତିହାସ ଓ ପରମ୍ପରା ଅଛି । ବହୁତ ଲୋକ ଆଧାରିତ ଚରିତ୍ର ସବୁ ଓଡ଼ିଶାରେ ଅଛି । ଏହାକୁ ଗଭୀର ଗବେଷଣା କରି ସଭ୍ୟତାର ମୂଳ ମଞ୍ଜି ପର୍ଯ୍ୟନ୍ତ ଯିବା ଏବଂ ବର୍ତ୍ତମାନର ସ୍ଥିତିକୁ ମଧ୍ୟ ସମୀକ୍ଷା କରିବା, ଆଉ ଭବିଷ୍ୟତର ଯୋଜନା ତିଆରି କରିବାର ଲକ୍ଷ୍ୟ ରଖି ଓଡ଼ିଶା ଅନୁସନ୍ଧାନ କେନ୍ଦ୍ରର କଳ୍ପନା କରାଯାଇଛି । ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନ୍ତର୍ଗତ ମଲ୍ଟି ଡିସିପ୍ଲିନାରୀ ଶିକ୍ଷା ମାଧ୍ୟମରେ ପୂର୍ଣ୍ଣାଙ୍ଗ କଳ୍ପନା କରାଯାଇପାରିବ । ଏନଇପିର ଏହି ପରାମର୍ଶକୁ କ୍ରିୟାନ୍ଵୟନ କରିବା ପାଇଁ ପ୍ରଚେଷ୍ଟା କରାଯାଉଛି । ଏହା ଦ୍ବାରା ଓଡ଼ିଶା ଭଳି ଏକ ପୁରୁଣା ସଭ୍ୟତାର ମୌଳିକ ଚିନ୍ତନ ହେବ, ବର୍ତ୍ତମାନ ସ୍ଥିତିର ସମୀକ୍ଷା ହେବ । ଆଉ ଭବିଷ୍ୟତ କର୍ମପନ୍ଥାର ଖସଡ଼ା ତିଆରି ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ମୌଳିକ ଭାରତୀୟତା ବଢ଼ାଇବା ପାଇଁ ଅନେକ କଳ୍ପନା କରିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ରଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେବ ଓଡ଼ିଶା ଅନୁସନ୍ଧାନ କେନ୍ଦ୍ର । ଭାରତ ସହ ସମଗ୍ର ବିଶ୍ଵରେ ପହଞ୍ଚିବ ଓଡ଼ିଶାର ସ୍ବର୍ଣ୍ଣିମ ଇତିହାସର ବିଷୟ । ଆଇଆଇଟି ଖଡ଼ଗପୁର, ଆଇଆଇଟି ଭୁବନେଶ୍ଵର ଏବଂ ଇଣ୍ଡିଆନ କାଉନସିଲ ଅଫ ସୋସିଆଲ ସାଇନସ ରିସର୍ଚ୍ଚ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଇଣ୍ଡିଆନ ନଲେଜ ସିଷ୍ଟମ୍ସ ଡିଭିଜନ ଏବଂ ଆଇଆଇଏମ ସମ୍ବଲପୁରର ମିଳିତ ସହଯୋଗରେ କାର୍ଯ୍ୟ କରିବ ଓଡ଼ିଶା ରିସର୍ଚ୍ଚ ସେଣ୍ଟର । ଓଡ଼ିଆ ସାହିତ୍ୟ, ପ୍ରତ୍ନତତ୍ତ୍ଵ, ଇତିହାସ, ସଂସ୍କୃତି, ଭାଷା, ବାଣିଜ୍ୟିକ ଇତିହାସ, ଅର୍ଥନୈତିକ ଏବଂ ସାମାଜିକ ଇତିହାସ, ଭାସ୍କର୍ଯ୍ୟ, ନୃତ୍ୟ, ସଂଗୀତ, ହସ୍ତତନ୍ତ, ହସ୍ତଶିଳ୍ପ, ରାଜନୈତିକ ଇତିହାସ ଏବଂ ପ୍ରକ୍ରିୟା ଆଦି ଉପରେ ଅଧିକ ଗବେଷଣା ହୋଇପାରିବ । ନୂଆ ଓଡ଼ିଶା ଗଠନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details