ଓଡିଶା

odisha

ETV Bharat / state

Raja 2023: ବନସ୍ତେ ଡାକିଲା ଗଜ, ଆଜି ପହିଲି ରଜ - Celebration Of Womanhood

ବର୍ଷେ ଅପେକ୍ଷା ପରେ ପୁଣି ଆସିଛି ରଜ । ଆଜି ପହିଲି ରଜ ପାଳୁଛି ଓଡିଶା । ଓଡିଶାର ଗଣପର୍ବ ରଜ ନେଇ ଚଳ ଚଞ୍ଚଳ ଗାଁଠୁ ସହର ।

odisha celebrates raja
ରଜ 2023

By

Published : Jun 14, 2023, 7:08 AM IST

ଭୁବନେଶ୍ବର:ବନସ୍ତେ ଡାକିଲା ଗଜ... ବରଷକେ ଥରେ ଆସିଛି ରଜ... ଚାତକ ପରି ଚାହିଁଥିବା ପର୍ବ । ମାସେ ଧରି ପ୍ରସ୍ତୁତି । ଗୋଟିଏ ବର୍ଷର ଅପେକ୍ଷା ପରେ ପୁଣି ରଜ ଆସିଛି । ଗ୍ରୀଷ୍ମ ସରି ସରି ଯାଉଛି ବର୍ଷାକୁ ସ୍ବାଗତ କରି ଭିଜାମାଟିର ବାସ୍ନା ନେଇ ଆସିଛି ଓଡିଶାର ଗଣପର୍ବ ତଥା କୃଷିଭିତ୍ତିକ ରଜ ପର୍ବ । ଧରା ଓ ମୌସୁମୀ ମିଳନର ପର୍ବରେ ମସଗୁଲ ଓଡିଶାବାସୀ । ପହିଲି ରଜରେ ପୁଲକିତ ହୋଇଛି ଧରିତ୍ରୀ ମାତା । ପ୍ରତିଟି ଘରେ ଆନନ୍ଦ ଓ ଉଲ୍ଲାସ । ନୂଆ ପୋଷାକ ପିନ୍ଧି ପିଠା ମିଠା ପାନ ଖାଇ ରଜ ପାଳୁଛନ୍ତି ଓଡିଶାବାସୀ । ପହିଲି ରଜର ସୂର୍ଯ୍ୟ ଉଦୟ ପରେ ଜମିଛି ରଜ ଆସର ।

ପାରମ୍ପରିକ ରଜ ପର୍ବ ସଜବାଜରୁ ଆରମ୍ଭ ହୁଏ । ଅର୍ଥାତ ପହିଲି ରଜର ପୂର୍ବ ଦିନକୁ ସଜବାଜ କୁହାଯାଏ । ଏହି ପର୍ବ 3 ଦିନ ଧରି ପାଳନ ହୁଏ । ଚଷାପୁଅ ଚାଷକାମ ବନ୍ଦ ରଖିଥାନ୍ତି । ଧରଣୀ ମା' ବିଶ୍ରାମ ନିଅନ୍ତି । ଏହି ପର୍ବ ପାଳିବାକୁ ଗାଁ ମୁହାଁ ହୋଇଛନ୍ତି ସହରବାସୀ । ଘରେ ଘରେ ବନ୍ଧୁବାନ୍ଧବଙ୍କ ଯିବା ଆସିବା ଲାଗି ରହିଛି । ରଜର ଦ୍ବିତୀୟ ଦିନକୁ ରଜ ସଂକାନ୍ତି ଓ ତୃତୀୟ ଦିନ ଶେଷ ରଜ କୁହାଯାଏ ।

ପିଠାରେ ମହକୁଛି ଗାଁଠୁ ସହର:ଓଡିଶାରେ ବାରମାସରେ 13 ପର୍ବ । ସାଧାରଣତଃ ଯେ କୌଣସି ପର୍ବଟିଏ ହେଲେ ଘରେ ଘରେ ପିଠା ହେବା ଟା ଥୟ । ଏ ପୁଣି ରଜ ପର୍ବ ଓଡିଶାର ଗଣପର୍ବ ପିଠା ହେବ ନାହିଁ ବା କିପରି । ରଜ ପାଇଁ ପିଠା ମିଠାରେ ମହକୁଛି ଗାଁଠୁ ସହର । ରଜରେ ପୋଡ ପିଠାର ବିଶେଷ ଗୁରୁତ୍ବ ରହିଛି । ଘରେ ଘରେ ମହକୁଛି ପିଠା । ଇଟିଲି, କାକରା ମଣ୍ଡା ଆଉ ବିଶେଷ କରି ପୋଡ ପିଠାର ସଭିଏଁ ମଜା ନେଉଛନ୍ତି । ପିଠା ସାଙ୍ଗକୁ ଘର ନାନାଦି ବ୍ୟଞ୍ଜନର ବାସ୍ନାରେ ମହକି ଉଠିଛି । ବସ୍ନା ଭୋକକୁ ଦ୍ବିଗୁଣିତ କରିଛି ।

ମହକୁଛି ରଜ ପାନ:ରଜ ପାଇଁ ଆଜି ଗାଁଠୁ ସହର ଉତ୍ସବ ମୁଖର । ରଜରେ ସମସ୍ତେ ନୂଆ ପିନ୍ଧନ୍ତି ପିଠା ଖାଆନ୍ତି ଦୋଳି ଖେଳନ୍ତି ମଜା ମଜଲିସ କରନ୍ତି । ହେଲେ ଆଉ ଏକ ଜିନିଷ ଅଛି ରହିଛି ଯାହାକୁ ରଜରେ ହିଁ ଅଧିକ ଗୁରୁତ୍ବ ଦିଆଯାଏ । 'ରଜ ପାନ' ନାଁରୁ ଜଣା ପଡିଯାଉଛି ଏହା ଗୁରୁତ୍ବ । ରଜରେ ବିଶେଷ ଆକର୍ଷଣ ହେଉଛି ରଜ ପାନ । ଅନ୍ୟ କେଉଁ ଦିନ ପାନ ନହେଲେ ନାହିଁ ରଜରେ ପାନ ଖାଇବା ଟା ନିଶ୍ଚୟ । ରଜରେ ବିଶେଷ କରି ବିଭିନ୍ନ ପ୍ରକାର ମସଲା ଦିଆ ପାନ ବିକ୍ରି ହୋଇଥାଏ । ପାନରେ ଗୁଆ, ମଧୁରୀ, କେଶର ଓ ଶୁଖିଲା ନଡିଆ ସମେତ ପ୍ରାୟ 22 ପ୍ରକାର ମସଲା ପକାଇ ପାନ ପରଶି ଦିଅନ୍ତି ଦୋକାନୀ । ରଜ ବଜାରରେ ଖିଲିପାନ ଟିଏ ଆହରି ରଜକୁ ସ୍ବତନ୍ତ୍ର କରିଦିଏ ।

ପିଠା ଖାଇଲେ ଦୋଳିରେ ଝୁଲିଲେ:ରଜ ପର୍ବଟି ବିଶେଷ କରି ଝିଅଙ୍କ ପର୍ବ ।ପହିଲି ରଜରେ ପ୍ରଭାତରୁ ଝିଅମାନେ ନିତ୍ୟକ୍ରମ ସାରି ସଜବାଜ ହୋଇ ପିଠା ଖାଇ ଦୋଳି ଖେଳିଛନ୍ତି । ରଜରେ ଚଳଚଞ୍ଚଳ ହୋଇଛି ଗାଁଠୁ ସହର । ଗାଁରେ ବାଉଁଶ ଦୋଳି ଓ ପିଢା ଦୋଳି ଖେଳିଛନ୍ତି ତରୁଣୀ । ଖାଲି ଦୋଳି ନୁହେଁ ଲୁଡୁ ମଧ୍ୟ ଖେଳିଛନ୍ତି । କେବଳ ଝିଅ ନୁହଁନ୍ତୁ ପୁଅମାନେ ମଧ୍ୟ ରଜ ମନାଇଥାନ୍ତି । ତାସ୍ ପାଲି ସାଙ୍ଗକୁ କବାଡି ଖେଳ ଏହି ପର୍ବକୁ ଆହୁରି ଜୀବନ୍ତ କରିଛି । ଘରେ ଘରେ ଆନନ୍ଦ ଆଉ ଉତ୍ସାହ । ଚାତକ ପରି ଚାହିଁଥିବା ଏହି ପର୍ବରେ ଆଜି ମହକୁଛି ଗାଁଠୁ ସହର । ପୋଡ ପିଠା ପାନ ଖାଇ ଅଳତା କୁଙ୍କୁମ ଲଗାଇ ସଜେଇ ହୋଇ ସଭିଏଁ ରଜ ମଉଜ ପାଳୁଛନ୍ତି । ରଜ ଗୀତରେ ଉଛୁଳି ପଡୁଛି ଗାଁ ଗଣ୍ଡା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details