ଓଡିଶା

odisha

ETV Bharat / state

ବଢୁଛି କୋରୋନା; ଘରେ ରହି ଜିରୋ ନାଇଟ୍ ପାଳିବାକୁ ପରାମର୍ଶ - ଓଡିଶା କୋରୋନା

Niranjan Mishra On COVID Situation: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଘରେ ରହି ଜିରୋ ନାଇଟ ପାଳିବାକୁ ଅପିଲ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

Niranjan Mishra On COVID Situation
Niranjan Mishra On COVID Situation

By ETV Bharat Odisha Team

Published : Dec 30, 2023, 1:23 PM IST

Updated : Dec 30, 2023, 1:39 PM IST

Niranjan Mishra On COVID Situation

ଭୁବନେଶ୍ବର:ଲଗାତାର ଗତ କିଛି ଦିନ ହେବ ରାଜ୍ୟରେ ଚିହ୍ନଟ ହେଉଛନ୍ତି କୋରୋନା ସଂକ୍ରମିତ । ଗତ 24 ଘଣ୍ଟାରେ ପୁଣି ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ୟା ଗମ୍ଭୀର ନଥିଲେ ମଧ୍ୟ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଲକ୍ଷଣ ଥିଲେ ମାସ୍କ ପିନ୍ଧନ୍ତୁ । ବାହରକୁ ନ ଯାଇ ଘରେ ଜିରୋ ନାଇଟ ସେଲିବ୍ରେସନ କରନ୍ତୁ । ଏହାସହ ଯେଉଁମାନଙ୍କୁ ଥଣ୍ଡା, ଜ୍ୱର, କାଶ ଲାଗି ରହୁଛି ସେମାନେ ଘରେ ସଂଗରୋଧରେ ରୁହନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ଚିନ୍ତା ବଢ଼ାଇଛି କେଭିଡ ସଂକ୍ରମିତଙ୍କ ସଂଖ୍ୟା । 24 ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । କିନ୍ତୁ ଆଶ୍ବସ୍ତିକର ଖବର ଯେ, ଜଣେ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ 13ଟି ଆକ୍ଟିଭ କେସ ରହିଛି । ଅନ୍ୟପଟେ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କିଭଳି ପ୍ରସ୍ତୁତ ରହିବେ, ସେଥିପାଇଁ SOP ମଧ୍ୟ ଜାରି କରାଯାଇଛି । ନୂଆ CDMO ଓ ନୂଆ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ସେମାନେ କିପରି ପ୍ରସ୍ତୁତ ରହିବେ, ସଠିକ ଭାବେ କାର୍ଯ୍ୟ କିଭଳି ତୁଲାଇବେ ସେନେଇ ମଧ୍ୟ ଏସଓପି ଜାରି କରାଯାଇଛି ।

ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, "ଜିରୋ ନାଇଟ ଆମ ପରମ୍ପରା ନୁହେଁ । ତେଣୁ ଘରେ ରହି ଜିରୋ ନାଇଟ ପାଳନ କରନ୍ତୁ । ଯେଉଁମାନଙ୍କ ଥଣ୍ଡା, ଜ୍ୱର, କାଶ ରହୁଛି ସେମାନେ ବାହାରକୁ ଯାଆନ୍ତୁ ନାହିଁ । ମାସ୍କ ପରିଧାନ କରନ୍ତୁ, ଯାହାଦ୍ବାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା କମ୍ ରହିବ । ମାସ୍କ ପିନ୍ଧିବା ଭଲ ଅଭ୍ୟାସ। ଦେହରେ ଅନ୍ୟ ରୋଗ ରହିଥିଲେ କିମ୍ବା କୋଭିଡର ଲକ୍ଷଣ ଥିବା ଜନସାଧାରଣ ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ ।"

ଏହା ମଧ୍ୟ ପଢନ୍ତୁ: କୋଭିଡ ବଢିବା ପରେ ରାଜ୍ୟ ଆଲର୍ଟ, ପଜିଟିଭ ଚିହ୍ନଟ ହେଲେ ହୋମ ଆଇସୋଲେସନ ପାଇଁ ପରାମର୍ଶ

ସୂଚନା ଅନୁଯାୟୀ, ସେପଟେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏନେଇ ଆଜି ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କ୍ୟାପିଟାଲ ହସ୍ପିଟାଲ ଏବଂ ଆର୍‌ଜିଏଚ୍‌ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଚିଠି ଦିଆଯାଇଛି । ସର୍ଭିଲାନ୍ସ, ଟେଷ୍ଟିଂ ବଢ଼ାଇବା ସହିତ ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ରଖିବାକୁ କୁହାଯାଇଛି । ଅକ୍ସିଜେନ ବେଡ୍‌ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆକ୍ରାନ୍ତଙ୍କ ଉପରେ ନଜର ରଖିବା ସହ ପଜିଟିଭ୍‌ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ତଥା ଉପଖଣ୍ଡ ସ୍ତରରେ ଟେଷ୍ଟିଂ ଏବଂ ଚିକିତ୍ସା ସୁବିଧା ଉପଲବ୍ଧ ନଥିବା ଅଭିଯୋଗ ଯେପରି ନ ଆସେ, ସେଥିପାଇଁ ବିଭାଗ କଡ଼ା ଚେତାବନୀ ଦେଇଛି । ଆବଶ୍ୟକ ଟେଷ୍ଟିଂ କିଟ୍‌ ଏବଂ ଔଷଧ ମହଜୁଦ ରଖିବା ସହ ଠିକ୍‌ ସମୟରେ ଡାଟା ଏଣ୍ଟ୍ରି କରିବା ପାଇଁ କୁହାଯାଇଛି । ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 30, 2023, 1:39 PM IST

ABOUT THE AUTHOR

...view details