ଓଡିଶା

odisha

ETV Bharat / state

ବସ ଧର୍ମଘଟ ପ୍ରତ୍ୟାହୃତ; ଘୋଷଣା କଲା ଘରୋଇ ବସ ମାଲିକ ସଂଘ - ଲକ୍ଷ୍ମୀ ବସକୁ ବିରୋଧ

Private Bus Strike Withdrawn: ରାଜ୍ୟରେ ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Nov 30, 2023, 7:07 AM IST

ଭୁବନେଶ୍ବର:ରାଜ୍ୟରେ ବସ୍ ଧର୍ମଘଟ ପ୍ରତ୍ୟାହୃତ । ଡିସେମ୍ବର ୧ ତାରିଖରୁ ହେବାକୁ ଥିବା ଧର୍ମଘଟ ପ୍ରତ୍ୟାହାର କରାଯାଇଛି । ବୁଧବାର ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ପରେ ଏହା ଘୋଷଣା କରିଛି ଘରୋଇ ବସ୍‌ ମାଲିକ ସଂଘ । ସଂଘର ଦାବିକୁ ନେଇ ମନ୍ତ୍ରୀଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ସେ କହିଛନ୍ତି ଯେ, ଲକ୍ଷ୍ମୀ ବସ୍‌ଗୁଡିକ ବ୍ଲକରୁ ଜିଲ୍ଲାକୁ ଚଲା ନଯିବାକୁ ସରକାର ମାନି ନେଇଛନ୍ତି । ପ୍ରାଥମିକ ଭାବରେ ଗଜପତି, ଭବାନୀପାଟଣା, ରାୟଗଡ଼ାରେ ଚାଲୁଥିବା ଲକ୍ଷ୍ମୀ ବସଗୁଡ଼ିକ ପଞ୍ଚାୟତରୁ ବ୍ଲକ୍‌କୁ ଚାଲୁଛି । ଆଗକୁ ନବରଙ୍ଗପୁର ଏବଂ କୋରାପୁଟରେ ମଧ୍ୟ ଏହି ବସ୍‌ ପଞ୍ଚାୟତରୁ ବ୍ଲକ୍‌କୁ ଚାଲିବା ନେଇ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡି ଓ ମୟୂରଭଞ୍ଜ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମଞ୍ଜୁରୀ, ଖର୍ଚ୍ଚ ହେବ ୮୬.୨୫ କୋଟି

ଏହା ବାଦ୍ ଘରୋଇ ବସ ମାଲିକ ସଂଘ ଏବଂ ସରକାରଙ୍କର କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯେଉଁ କମିଟି ମୋ ବସ୍‌ର ରିଭ୍ୟୁ କରି ଆସନ୍ତା ୭ ଦିନ ମଧ୍ୟରେ ଏକ ବୈଠକ ବସି ମୋ ବସ୍‌ ଚଳାଚଳ ରୁଟ୍‌କୁ ନେଇ ନିଷ୍ପତ୍ତି ନିଆଯିବ । ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଘରୋଇ ବସ୍‌ ମାଲିକ ସଂଘ ସହିତ ଆଲୋଚନା ସଫଳ ହୋଇଛି । ଖାରବେଳ ଭବନରେ ସଂଘ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଛି । ଘରୋଇ ବସ୍‌ ମାଲିକ ସଂଘ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁନାହାନ୍ତି । ଲକ୍ଷ୍ମୀ ଯୋଜନା ଲୋକଙ୍କ ଆର୍ଥିକ ବିକାଶ ଦିଗରେ ସୁବିଧା ହେଉଛି ।

ଆଲୋଚନା ମାଧ୍ୟମରେ ଘରୋଇ ବସ୍‌ ମାଲିକ ସଂଘର ଏ ସମସ୍ୟା ସମାଧାନ ହେବ । ସଂଘ ଆନ୍ଦୋଳନ ନକରି ସରକାରଙ୍କୁ ସହଯୋଗ କରନ୍ତୁ । ବସ ମାଲିକଙ୍କ ସମସ୍ୟା ଯାହା ଅଛି ଲିଖିତ ଭାବରେ ଦିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ସେମାନଙ୍କ ଦାବି ଉପସ୍ଥାପନ କରାଯିବ । ଟାଏର ୨ ରୁଟକୁ ନେଇ ଘରୋଇ ବସ ମାଲିକ ସଂଘର ସମସ୍ୟା ରହିଛି । ମୋ ବସ ଚଳାଚଳକୁ ନେଇ ମଧ୍ୟ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଡିସେମ୍ବର ୧ରୁ ବସ୍‌ ଧର୍ମଘଟ, ୨୨ରେ ବିଧାନସଭା ସମ୍ମୁଖରେ ଧାରଣା

ବୈଠକରେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ କମିଶନର ଅମିତାଭ ଠାକୁର, ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର, କ୍ରୁଟର ଜେନେରାଲ ମ୍ୟାନେଜର, ରାଜ୍ୟ ଘରୋଇ ବସ ମାଲିକ ସଂଘର ସଭାପତି ଲୋକନାଥ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details