ଭୁବନେଶ୍ବର: "ଆମେ ଆମ ନିଜସ୍ବ ପଇସାରେ ୟୁନିଫର୍ମ କରିଛୁ । ଏଥିପାଇଁ ସରକାର କୌଣସି ସହାୟତା ଦେଇନାହାଁନ୍ତି । ୟୁନିଫର୍ମ ପାଇଁ ଭତ୍ତା ଦେବାକୁ ଆମେ ଦାବି କରିଥିଲୁ । ଭତ୍ତା ଦେବାକୁ ସରକାର ରାଜି ନୁହଁନ୍ତି । ତେଣୁ ଆମେ ଆଉ ୟୁନିଫର୍ମ ଆସନ୍ତାକାଲି ଠାରୁ ପିନ୍ଧିବୁ ନାହିଁ । ବିନା ୟୁନିଫର୍ମରେ ସ୍କୁଲକୁ ଆସିବୁ ।" ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ଆଲୋଚନା ପରେ ଏହା କହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ।
ନିଜ ଦାବି ପୂରଣ ପାଇଁ ଆନ୍ଦୋଳନ କରିବାକୁ ଆଜି ସାରା ରାଜ୍ୟରୁ ହଜାରହଜାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ରାଜଧାନୀକୁ ଆସିଥିଲେ । ହେଲେ ପୋଲିସ ଯୋଜନାବଦ୍ଧ ଭାବେ ପ୍ରାଥମିକ ଶିକ୍ଷକ ସଂଘକୁ ଆନ୍ଦୋଳନ କରିବାକୁ ଦେଇନଥିଲା । ଶେଷରେ ଯେଣେତେଣେ ପ୍ରକାରେ ସଂଘର କିଛି ସଦ୍ୟସ ପ୍ରଦର୍ଶନୀ ପଡିଆରେ ଷ୍ଟିୟରିଂ କମିଟି ବୈଠକ କରି ଆନ୍ଦୋଳନର ରୂପରେଖ ନେଇ ଆଲୋଚାନ କରିଥିଲେ । ପରେ ସଂଘର 11 ଜଣିଆ ପ୍ରତିନିଧି ମଣ୍ଡଳୀ ବିଧାନସଭା ପରିସରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ଆଲୋଚନା କରିଥିଲେ । ଆଲୋଚନ ପରେ ବର୍ତ୍ତମାନ ସଂଘ ଆନ୍ଦୋଳନ ସ୍ଥଗିତ ପାଇଁ ନିଷ୍ପତି ନେଇଛି । କିନ୍ତୁ ଆସନ୍ତାକାଲିଠାରୁ ରାଜ୍ୟ ସରକାରଙ୍କ ୟୁନିଫର୍ମନୀତି ପାଳନ କରିବେ ନାହିଁ ବୋଲି କହିଛନ୍ତି । ଏହାସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟରେ ମଧ୍ୟ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି । ଶିକ୍ଷକଙ୍କ ଏହି ଧମକ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।
ଏହାବି ପଢନ୍ତୁ- Odisha Assembly: ଅଶୀ ଦଶକର ସ୍ଥିତି ଏବେ ରାଜ୍ୟରେ ନାହିଁ: ଖାଦ୍ୟ ଯୋଗାଣ ମନ୍ତ୍ରୀ