ଭୁବନେଶ୍ବର: ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟାନକୁ ନେଇ ରାଜନୀତି ଘନେଇବାରେ ଲାଗିଛି । ଗତକାଲି ଦଳର କାର୍ଯ୍ୟକାରିଣୀରେ ନବୀନ କହିଥିଲେ ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ । ନବୀନଙ୍କ ଏହି ଷ୍ଟେଟମେଣ୍ଟ ପରେ ତାତିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି । କଂଗ୍ରେସ ଏହାକୁ ଲୋକ ଚରିତ୍ରରେ ପରିବର୍ତ୍ତନ କହିଥିବା ବେଳେ, ବିଜେପି କହିଛି, ଆମ ପାଖରେ ରହିଛି ପ୍ରସଙ୍ଗର ପାହାଡ଼ । ରାଜନୀତି ସମୀକ୍ଷକଙ୍କ ଆକଳନ, ୨୦୨୪ ନିର୍ବାଚନରେ ଭୋଟ୍ ବ୍ୟାଙ୍କ ପାଇଁ ବିଜେଡି ଖେଳୁଛି ରୂପାନ୍ତରୀକରଣ କାର୍ଡ ।
କଂଗ୍ରେସ କହିଲା, ଲୋକ ଚରିତ୍ରରେ ପରିବର୍ତ୍ତନ:ଗତକାଲି ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ବିଜୁ ଜନତା ଦଳର କାଜ୍ୟ କାର୍ଯ୍ୟକାରିଣୀ । ଏଥିରେ ଦଳର ସର୍ବୋଚ୍ଚ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀଙ୍କୁ ପରୋକ୍ଷ ଆକ୍ଷେପ କରି କହିଥିଲେ ଯେ, ବିରୋଧୀମାନଙ୍କ ନିକଟରେ କୌଣସି ପ୍ରସଙ୍ଗ ନାହିଁ । ନବୀନଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଶାସକ ଦଳକୁ ପାଲଟା ଆକ୍ରମଣ କରିଛନ୍ତି ବିରୋଧୀ । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଲୋକ ଚରିତ୍ରରେ ପରିବର୍ତ୍ତନ କାରଣରୁ କାର୍ଯ୍ୟକାରିଣୀରେ ଏପରି କହିଛନ୍ତି ନବୀନ। ସ୍କୁଲ କ୍ୟାମ୍ପସରେ ନବୀନଙ୍କ ହୋର୍ଡିଂ ଲାଗୁଛି, ଗାଁ ଗାଁରେ ମଦଭାଟି ଖୋଲୁଛି, ଏହା ସମସ୍ତେ ଦେଖୁଛନ୍ତି ଓ ଜାଣୁଛନ୍ତି । ହେଲେ ଇଏ କଣ ପ୍ରସଙ୍ଗ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ ?
ଏହା ମଧ୍ଯ ପଢ଼ନ୍ତୁ: କଂଗ୍ରେସ ସାଂସଦ ଧୀରଜ ସାହୁ ଗାନ୍ଧୀ ପରିବାରର ଏଟିଏମ: ଧର୍ମେନ୍ଦ୍ର ପ୍ରଧାନ
ବିଜେପିର ପାଲଟା ପ୍ରଶ୍ନ: କଂଗ୍ରେସ ସ୍ବରରେ ସ୍ବର ମିଳାଇଛି ବିଜେପି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ କଟାକ୍ଷ, 2024 ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଏପରି ମନ୍ତବ୍ୟ ଦେଇଛନ୍ତି। ଆମେ ଲୋକଙ୍କ ପ୍ରସଙ୍ଗ ଉପସ୍ଥାପନ କରୁଛୁ । ବେକାରୀ କଣ ପ୍ରସଙ୍ଗ ନୁହେଁ, ନାରୀ ଆଜି ଅସୁରକ୍ଷିତ, ଏହା କଣ ପ୍ରସଙ୍ଗ ନୁହେଁ ବୋଲି ପାଲଟା ପ୍ରଶ୍ନ କରିଛି ବିଜେପି । ମହାନଦୀ ପ୍ରସଙ୍ଗରେ ସେ କହିଛନ୍ତି, କାମ୍ପା ଫଣ୍ଡ 500 କୋଟି ଟଙ୍କାରେ ମହାନଦୀ କୂଳରେ ଗଛ ଲଗାଇବା କାମ କେତେ ବାଟ ଗଲା ? ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରରେ ମୋଦି ସରକାର ବିଭିନ୍ନ ଯୋଜନାରେ ରାଜ୍ୟକୁ ଆର୍ଥିକ ଅନୁଦାନ ଦେଉଛନ୍ତି। ରାଜ୍ୟ ସରକାର ସେଥିରେ ଠପା ଲଗାଇ ବାହାବା ନେଉଛନ୍ତି । ତେବେ ଲୋକେ ଏହାକୁ ବୁଝିଗଲେଣି । ଏସବୁ ପ୍ରସଙ୍ଗ ନେଇ 2024 ନିର୍ବାଚନରେ ଆମେ ଲୋକଙ୍କ ପାଖକୁ ଯିବୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ।
ଏହା ମଧ୍ଯ ପଢ଼ନ୍ତୁ: ପୁରୀ ଜିଲ୍ଲାରେ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଖର୍ଚ୍ଚ ହେବ ୧୪ କୋଟି