ଭୁବନେଶ୍ବର:ଯୁବପୀଢିଙ୍କୁ ଘାରିଛି ରିଲ୍ସ ଭିଡିଓ ନିଶା । ବିପଦଜନକ ଭାବେ ସୁଟ କରୁଛନ୍ତି ଭିଡିଓ । ଭିନ୍ନ ଭିନ୍ନ ଢଙ୍ଗରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରି ଭିଡିଓ ପ୍ରସ୍ତୁତ କରୁଛନ୍ତି । କେତେବେଳେ ଟ୍ରେନ ଆଗରେ ବିପଦଜନକ ରିଲ୍ସ ଭିଡିଓ ତ ରାସ୍ତା ଉପରେ ବାଇକ ଓ ଷ୍ଟଣ୍ଟ ମାରି ବା ଛାତ ଉପରୁ ଡେଇଁ ସୋସିଆଲ ମିଡ଼ିଆରେ ଲୋକପ୍ରିୟତା ପାଇବା ପାଇଁ ଯୁବପୀଢିଙ୍କୁ ଏକ ପ୍ରକାର ନିଶା ଘାରିଛି । ବିଭିନ୍ନ ସ୍ଥାନରୁ ଏଭଳି ବିପଦଜନକ ଭିଡ଼ିଓ ସାମ୍ନାକୁ ଆସିବା ପରେ ସତର୍କ କରାଇଛି ପୋଲିସ । ଶସ୍ତା ଲୋକପ୍ରିୟତା ପାଇଁ ଷ୍ଟଣ୍ଟ ନକରିବାକୁ ପରାମର୍ଶ ଦେଇଛି ।
ଡିଜିପି ଓଡ଼ିଶା ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସଚେତନ କରିବା ସହ ଏଦିଗରେ ନଜର ରଖାଯାଉଥିବା କୁହାଯାଉଛି । ରିଲ୍ସ କରିବା ନିଶାରେ ଅନେକ ଲୋକ ନିଦ ହରାଉଛନ୍ତି । ଯାହା ଫଳରେ ସମାଜ ଉପରେ ଏହାର କୁପ୍ରଭାବ ପକାଉଥିବା ପୋଲିସ କହିଛି । ତେବେ ଏନେଇ ଭୁବନେଶ୍ୱର ଡିସିପି ମଧ୍ଯ ପ୍ରତିକ୍ରିୟା ଦେଇଛନ୍ତି । ଡିସିପି ପ୍ରତୀକ ସିଂ କହିଛନ୍ତି, "ଆଜିର ସମୟରେ ରିଲ୍ସ କରିବା ଟ୍ରେଣ୍ଡରେ ରହିଛି । କିନ୍ତୁ କିଛି ଜଣ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଆଜିର ଯୁବପୀଢି ଗାଡି ଚଳାଇବା ସମୟରେ ବା ବିପଦପୂର୍ଣ୍ଣ ସ୍ଥାନରେ ଠିଆ ହୋଇ ରିଲ୍ସ କରୁଛନ୍ତି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଆମେ ମଧ୍ୟ ସମୟ ସମୟ ମଧ୍ୟରେ ସୋସିଆଲ ମିଡିଆରେ ସଚେତନ କରାଉଛୁ । ଆପଣଙ୍କ ରିଲ୍ସ ଦ୍ବାରା ଯେପରି ଆଖପାଖ ଲୋକ ବିପଦରେ ନପଡ଼ିବେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ ।"