ଭୁବନେଶ୍ବର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାବେଳେ ବଢ଼ିଛି ମାଓ ମୁକାବିଲା ଚିନ୍ତା । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ପୋଲିସ । ମାଓ ମୁକାବିଲା ନେଇ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଓ ପ୍ରଭାବିତ ଜିଲ୍ଲାର ଏସପି ଓ ରେଞ୍ଜ ଆଇଜି ସହ BSF ଏବଂ CRPFର ବରିଷ୍ଠ ଅଧିକାରୀମାନେ ଏକାଠି ହୋଇ ମାଓ ଦମନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ନିର୍ବାଚନ ପୂର୍ବରୁ ମାଓବାଦୀ ଭୋଟ ବର୍ଜନ ପାଇଁ ଚେଷ୍ଟା କରନ୍ତି । ଏଥିପାଇଁ ମାଓ ପୋଷ୍ଟର ଓ ମେଳି କରି ଲୋକଙ୍କୁ ପ୍ରଭାବିତ କରିଥାନ୍ତି । ଲୋକଙ୍କୁ ଭୟଭୀତ କରାଇ ଭୋଟ ବର୍ଜନ ସହ ବୁଥକୁ ନଯିବାକୁ ଧମକାଇଥାନ୍ତି । ଏହି ସମ୍ଭାବ୍ୟ ଘଟଣାବଳୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଅବାଧ ନିର୍ବାଚନ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ । ଯେହେତୁ ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ଼ରେ ଗତ ନିର୍ବାଚନ ବେଳେ ଅନେକ ମାଓ ହିଂସା ଦେଖିବାକୁ ମିଳିଥିଲା ସେନେଇ ପ୍ରାକ ପ୍ରସ୍ତୁତି କରାଯାଇଛି ।
ବର୍ତ୍ତମାନ ଓଡ଼ିଶାରେ ୧୬ରୁ ୧୭ ଜଣ ଓଡ଼ିଆ ମାଓବାଦୀ ସକ୍ରିୟ ଅଛନ୍ତି । ବାକି ୯୦ ଜଣ ଅଣ ଓଡ଼ିଆ ମାଓବାଦୀ, ଯାହାକି ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟି ଓ ଓଡ଼ିଶା ଷ୍ଟେଟ୍ କମିଟି ଭାବେ ପରିଚାଳିତ ହେଉଛି । ତେବେ ଓଡ଼ିଶା ଷ୍ଟେଟ୍ କମିଟିରେ ୩ ସଂଗଠନ ବଂଶଧାରା ଘୁମୁସର ନାଗାବଳି କମିଟି, କେକେବିଏନ ଓ ମଏନପୁରୀ ନୂଆପଡା ମାଓ ସଂଗଠନ ସକ୍ରିୟ ଅଛନ୍ତି । କେବଳ କେକେବିଏନ ଅଧିକ ସକ୍ରିୟ ଥିବାବେଳେ ବାକି ସଂଗଠନର ସେତେଟା ଗତିବିଧି ପରିଲକ୍ଷିତ ହେଉନି । ଏହି ମାଓ ସଂଗଠନର ମୁକାବିଲା ପାଇଁ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ୧୧ଟି ନୂଆ ସିଓବି କ୍ୟାମ୍ପ ପ୍ରସ୍ତୁତି କରାଯାଇଛି । ନୂଆପଡାରେ ୪ଟି, କଳାହାଣ୍ଡି ୪ଟି, ବୌଦ୍ଧରେ ଗୋଟିଏ, ଫୁଲବାଣୀରେ ୨ଟି କ୍ୟାମ୍ପ କରି ସିଆରପିଏଫ ଓ ବିଏସଫ ଦ୍ବାରା ନଜର ରଖାଯିବ । ମାଓବାଦୀଙ୍କ ଗତିବିଧି ଜଣାପଡିଲେ ଶୀତ ଦିନ ଯୋଗୁଁ ଅପରେସନ ଜୋରଦାର ହେବ । ଏହି ଅପରେସନରେ ବିଭିନ୍ନ ଟେକ୍ନୋଲୋଜିର ବ୍ୟବହାର ପାଇଁ ମଧ୍ୟ ଫୋକସ୍ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: ପ୍ରତିଶୋଧ ମୁଡ୍ରେ KKBN ଡିଭିଜନ୍, ବସିଲା ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ