ଭୁବନେଶ୍ବର:ପାରଦର୍ଶୀ ପୋର୍ଟାଲରେ ତ୍ରୁଟି ଥିବା ନେଇ ଅଭିଯୋଗ ଆଣିଲା ଅଭିଭାବକ ମହାସଂଘ । ଘରୋଇ ବିଦ୍ୟାଳୟରେ ପିଲାଙ୍କ ଆଡ଼ମିସନ ପାଇଁ ଅପେକ୍ଷା କରିଥିବା ବେଳେ ପୋର୍ଟାଲରେ ତ୍ରୁଟି ପରିଲକ୍ଷିତ ହୋଇଛି । ସ୍କୁଲ ତାଲିକା ଠିକରେ ଦର୍ଶାଯାଇ ନଥିବା ବେଳେ, ନର୍ସରୀ ଶ୍ରେଣୀର ନାମ ଲେଖା ପାଇଁ ବ୍ୟବସ୍ଥା ଉପଲବ୍ଧ ନଥିବା ପରି ଗୁରୁତର ତ୍ରୁଟି ରହିଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଯାହାକୁ ନେଇ ଶହ ଶହ ଅଭିଭାବକ ନଅ ତାଲାରେ ଥିବା ଶିକ୍ଷା ନିର୍ଦ୍ଦେଶାଳୟକୁ ଘେରାଉ କରିଥିଲେ । ଦାବି ପୂରଣ ନହେଲେ ସଚିବଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବୁବୋଲି ଚେତାବନୀ ଦେଇଛି ମହସଂଘ ।
ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ଘରୋଇ ସ୍କୁଲରେ ପାଠ ପଢିପାରିବେ । ଏଥିପାଇଁ ରାଜ୍ୟ ସରକାର ଘରୋଇ ସ୍କୁଲମାନଙ୍କରେ 25% ସିଟ୍ ରଖିବା ସହ ପିଲା ବିନା ମୂଲ୍ୟରେ ନାମ ଲେଖାଇବା ନେଇ ବ୍ୟବସ୍ଥା ହୋଇଛି । ପ୍ରାଇଭେଟ ସ୍କୁଲରେ ଆଡମିସନ ପାଇଁ ଗତ 13 ତାରିଖରେ ପାରଦର୍ଶ ପୋର୍ଟାଲ ଖୋଲିଥିଲା । ଏହା ଦ୍ବାରା ପ୍ରାୟ 50 ହଜାରରୁ ଅଧିକ ଛାତ୍ରଛାତ୍ରୀ ଉତ୍ତମ ଶିକ୍ଷା ପାଇପାରିବେ । ଅନେକ ଅଭିଭାବ ଏହି ଯୋଜନା ମାଧ୍ୟମରେ ପିଲାମାନଙ୍କର ଆଡ଼ମିସନ ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ପୋର୍ଟାଲରେ ତ୍ରୁଟି ଯୋଗୁଁ ଆଡମିଶନ ହୋଇପାରିନାହିଁ । ପୂର୍ବରୁ ଅନେକ ଥର ପୋର୍ଟାଲରେ ତ୍ରୁଟି ଥିବା ଦର୍ଶାଇ ଓଡ଼ିଶା ଅଭିଭାବକ ମହାସଂଘ ଏହାକୁ ନେଇ ବିଭାଗରେ ଅଭିଯୋଗ କରିଥିଲା ।
ଅନ୍ୟପଟେ ପୋର୍ଟାଲରେ ନିକଟସ୍ଥ ସ୍କୁଲ ତାଲିକା ଠିକରେ ଦର୍ଶାଯାଇ ନାହିଁ, ନର୍ସରୀ ଶ୍ରେଣୀର ନାମ ଲେଖା ପାଇଁ ବ୍ୟବସ୍ଥା ଉପଲବ୍ଧ ନଥିବା ପରି ଗୁରୁତର ତ୍ରୁଟି ରହିଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଆରଟିଇରେ ପ୍ରାଇଭେଟ ସ୍କୁଲରେ 25% ନିଃଶୁଳ୍କ ସିଟରେ ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲକୁ ବର୍ଷସାରା ଆବେଦନ ପାଇଁ ଖୋଲା ରଖିବା । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ବ୍ୟବସ୍ଥାକୁ ଛତିଶଗଡ ଓ ଦିଲ୍ଲୀ ଭଳି ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି ସହ ତ୍ରୁଟି ଥିବା ପୋର୍ଟାଲକୁ ତୁରନ୍ତ ଠିକ କରିବା । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସ୍କୁଲବ୍ୟାଗ ଓଜନ ନିୟମ କଡାକଡି ଲାଗୁ ସହ ଏନସିଇଆରଟି ବହିରେ ପାଠ ପଢ଼ାଇବା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ପ୍ରାଇଭେଟ ସ୍କୁଲରେ ଏକାଦଶ ଶ୍ରେଣୀକୁ ଦଶମ ଶ୍ରେଣୀରୁ କ୍ଲାସ ପ୍ରମୋସନ ହିସାବରେ ନିଆଯାଇ ଆଡ଼ମିସନ କରାଯାଉ ବୋଲି ଆଲୋଚନା କରିଥିଲେ ଅଭିଭାବକ ମହାସଂଘ ।