ଭୁବନେଶ୍ବର:୨୦୦୮ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ ନିମନ୍ତେ ନୂତନ ଗ୍ରାଣ୍ଟ୍-ଇନ୍-ଏଡ୍ ନୀତି ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏନେଇ ଚିଠି ଲେଖାଯାଇ ଅବଗତ କରାଯାଇଛି । ଏଥିସହ ୨୦୦୮ ଜୁନ୍ ୧ରୁ ୨୦୧୩ ନଭେମ୍ବର ୩୦ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ଏବଂ ଏଥିରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ମଗାଯାଇଛି । ଏସବୁ କଲେଜକୁ ସରକାରୀ ମାନ୍ୟତା ଓ ଦରମା ଦେବା ପାଇଁ ନୂଆ ଗ୍ରାଣ୍ଟ-ଇନ୍-ଏଡ୍ ନୀତି ଆସିବ । ଏହାକୁ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ।
୨୦୦୮ରୁ ୨୦୧୮ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ଏବଂ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ନେଇ ସେମାନଙ୍କୁ ଅନୁଦାନ ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ଦାବି କରିଛନ୍ତି । ୨୪ ତାରିଖରେ ଜାରି କରାଯାଇଥିବା ଚିଠି ଯଦି ସରକାର ଆଜି ସୁଦ୍ଧା ପ୍ରତ୍ୟାହାର କରି ନୂତନ ଚିଠି ପ୍ରକାଶ ନ କରନ୍ତି, ତେବେ ୨୭ ତାରିଖରୁ ସଂଘ ତରଫରୁ ଆନ୍ଦୋଳନକୁ ଜୋରଦାର କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସହ ସିଧା ଆଲୋଚନା ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସଂଘର ରାଜ୍ୟ ସଭାପତି ବିଶ୍ବରଞ୍ଜନ ଦାସ ଚେତାବନୀ ଦେଇଛନ୍ତି ।