ଭୁବନେଶ୍ବର:ଚଳିତ ବର୍ଷ ସାଙ୍ଘାତିକ ହେବ ଜଙ୍ଗଲ ନିଆଁ । ୨୦୨୩ ମସିହାରେ ଜଙ୍ଗଲ ଅଧିକ ଜଳିବା ସମ୍ଭାବନା ରହିଛି । ଜଙ୍ଗଲ ନିଆଁକୁ ନେଇ ସତର୍କ ଘଣ୍ଟି ଦେଇଛି ବିଭାଗ । ଏଥର ଜାନୁଆରୀ ମାସ ୪ର୍ଥ ସପ୍ତାହରୁ ହିଁ ତାପମାତ୍ରା ବୃଦ୍ଧି ଆରମ୍ଭ ହେଇଗଲାଣି । ଯଦି ଏହି ଭଳି ଗରମ ଜାରି ରୁହେ ତେବେ ପରିସ୍ଥିତି ସାଙ୍ଘାତିକ ହେବ। ସାଟେଲାଇଟ ଜଣାଇବ ଜଙ୍ଗଲର ନିଆଁ । ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ପିସିସିଏଫ ସତର୍କ କରାଇଛନ୍ତି ।
ଦୀର୍ଘ ଦିନ ହେଲା ବର୍ଷା ହୋଇନି । ପାଗ ଶୁଖିଲା ରହିଛି । ତାପମାତ୍ରା ବି ବୃଦ୍ଧି ହେଲାଣି । ଯଦି ନିକଟ ଭବିଷ୍ୟତରେ ବର୍ଷା ନ ହୁଏ, ତାହେଲେ ଏ ବର୍ଷ ମଧ୍ୟ ଅଧିକ ଜଙ୍ଗଲ ନିଆଁ ଘଟଣା ଦେଖିବାକୁ ମିଳିବ । ଏବେ ରାଜ୍ୟରେ ଦିନକୁ ପାଖାପାଖି ୧୦୦ରୁ ୧୫୦ଟି ସ୍ଥାନରେ ନିଆଁ ଲାଗିବାର ସୂଚନା ଆସୁଛି । ଆଗାମୀ ଦିନରେ ଏହା ୧୦୦୦ ବି ହୋଇପାରେ । ଜଙ୍ଗଲ ନିଆଁ ଘଟଣା ଚିହ୍ନଟ କରିବା ନୁହେଁ, ନିଆଁ ଲିଭାଇବା ବନ ବିଭାଗ ପାଇଁ ଆହ୍ବାନ । ଏନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ କହିଛନ୍ତି, " ଏଥିଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ । କେମିତି ଜଙ୍ଗଲ ନିଆଁକୁ ଆୟତ୍ତ କରିବୁ, ଆମର ଷ୍ଟାଫ ଇକ୍ୟୁପମେଣ୍ଟସ, ଟେକ୍ନୋଲୋଜି ରେଡି କରିକି ରଖିଛୁ ।
ଜିଲ୍ଲା ସ୍ତରୀୟ ପ୍ଲାନ ପ୍ରସ୍ତୁତ କରି ରଖିଛୁ । ଯେଭଳି ମନୁଷ୍ୟକୃତ ନିଆଁ ଜଙ୍ଗଲରେ ନ ଲାଗୁ, ଗାଁ ଗାଁରେ ଲୋକଙ୍କୁ ସଚେତନ କରାଉଛୁ । ଏବେ ରାଜ୍ୟର ବାଲିଗୁଡା, ଫୁଲବାଣୀ, ସୁନ୍ଦରଗଡ଼, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଅଧିକ । ତେଣୁ ଏହି ଜଙ୍ଗଲ ଉପରେ ଆମେ ନଜର ରଖିଛୁ ।" ପିସିସିଏଫ ଦେବୀଦତ୍ତ ବିଶ୍ବାଳ କହିଛନ୍ତି, " ୨୦୨୧ ଜଙ୍ଗଲରେ ନିଆଁ ଲାଗିବା ଅଧିକା ଦେଖିବାକୁ ମିଳିଥିଲା । ତା'ପରେ ପରେ ୨୦୨୨ ମସିହାରେ ପୂର୍ବ ବର୍ଷଠାରୁ ବହୁତ କମ ମାତ୍ରାରେ ଜଙ୍ଗଲରେ ନିଆଁ ଲାଗିବା ଦେଖିବାକୁ ମିଳିଥିଲା । ତେବେ ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲଗାଇବା ଅଧିକା ହୋଇପାରେ। କାରଣ ଚଳିତ ବର୍ଷ ଋତୁ ଚକ୍ରରେ ବିଭ୍ରହଟ ଓ ତାପମାତ୍ରାରେ ପରିବର୍ତ୍ତନ ଯୋଗୁଁ ଅଧିକା ଜଙ୍ଗଲରେ ନିଆଁ ଦେଖିବାକୁ ମିଳିପାରେ।"