ଭୁବନେଶ୍ବର:ଆଜକୁ ୧୪ ଦିନ ହେଲାଣି ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଶ୍ରମିକମାନେ ମନରେ ଦୃଢ ବିଶ୍ବାସ ରଖି ଉଦ୍ଧାରକାରୀ ଟିମକୁ ଅପେକ୍ଷା କରିଛନ୍ତି । ଏପଟେ ବାହାରେ ସମସ୍ତ ପରିସ୍ଥିତିକୁ ମୁକାବିଲା କରି ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଗର ମେସିନ ଖରାପ ହେବା ପରେ ଏବେ ମାନୁଆଲ ଡ୍ରିଲିଂ ଆରମ୍ଭ ହୋଇଛି । ଏହି ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ୫ଜଣ ଓଡ଼ିଆ ଫସି ରହିଥିବା ବେଳେ ଘଟଣାସ୍ଥଳକୁ ବାହାରିଛନ୍ତି ଓଡ଼ିଶାର ଶ୍ରମ ମନ୍ତ୍ରୀ ସାରଦା ନାୟକ । ମନ୍ତ୍ରୀଙ୍କ ସହ ଘଟଣାସ୍ଥଳକୁ କନ୍ସଲଟାଣ୍ଟ ହେଡ ଓ ଶ୍ରମିକଙ୍କ ପରିବାର ସଦସ୍ୟ ଯାଉଥିବା ଜଣାପଡ଼ିଛି ।
ରେସ୍କୁ ଅପରେସନକୁ ଅନୁଧ୍ୟାନ କରିବେ ମନ୍ତ୍ରୀ । ଶ୍ରମିକଙ୍କ ଠାରୁ ୨ରୁ ୩ ମିଟର ଦୂରରେ ଥିବାରୁ ଆଜି ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ମନ୍ତ୍ରୀ । ଏନେଇ ଶ୍ରମମନ୍ତ୍ରୀ ସାରଦା ନାୟକ କହିଛନ୍ତି, " ନଭେମ୍ବର ୧୨ ତାରିଖରେ ଉତ୍ତରାଖଣ୍ଡରେ କାର୍ଯ୍ୟ ଚାଲିଥିବା ଟନେଲରେ ୪୧ ଜଣ ଶ୍ରମିକ ଫସି ଯାଇଥିଲେ । ସେଥିରେ ୫ ଜଣ ଓଡ଼ିଆ ଶ୍ରମିକ ଥିବା ଜାଣିବାକୁ ପାଇଥିଲୁ । ୧୩ ତାରିଖ ଦିନ ଆମର ୨ ଜଣ ବରିଷ୍ଠ ଅଧିକାରୀ ଉତ୍ତରାଖଣ୍ଡ ଯାଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି । ପ୍ରତ୍ୟେକ ଦିନର ଖବର ସେମାନେ ନେଉଛନ୍ତି । ପ୍ରଥମ ଦିନ ସେମାନେ ଭିତରେ ଥିବା ଶ୍ରମିକଙ୍କ ସହିତ କଥା ହୋଇଥିଲେ । ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନେ ଅତ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଶେଷ ମୁହୂର୍ତ୍ତରେ ସହଯୋଗ ପାଇଁ ରାଉଲକେଲା ଷ୍ଟିଲ ପ୍ଲାଣ୍ଟରୁ ପାଇପ ଯାଇଛି ।"