ଭୁବନେଶ୍ବର: ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି (Odisha Kulata Samaj met CM Naveen) । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି ପ୍ରତିନିଧି ଦଳ । କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ଲାଗି 5T ଉପକ୍ରମରେ ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
ପୁରୀ ଧାମରେ ଏକ ଧର୍ମଶାଳା ନିର୍ମାଣ ପାଇଁ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ସମାଜ (Odisha Kulta Samaj request for construction of Dharmasala at Puri)। କୁଲତା ସମାଜ ବହୁଳ ଗ୍ରାମ ଗୁଡିକରେ ଜଗନ୍ନାଥ ମନ୍ଦିର ସ୍ଥାପନ, ପରିଚାଳନା, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହି ସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି । ପୁରୀ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ମଧ୍ୟ କୁଲତା ସମାଜର ଏକ ପ୍ରସିଦ୍ଧ ଧର୍ମପୀଠ । କୁଲତା ସମାଜର ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ପୁରୀଧାମକୁ ଯାଇଥାନ୍ତି । ତେଣୁ ପୁରୀରେ କୁଲତା ସମାଜକୁ ଧର୍ମଶାଳା ଲାଗି ଏକ ଏକର ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ସେମାନେ ଅନୁରୋଧ କରିଛନ୍ତି ।