ଭୁବନେଶ୍ବର:ରାଜଧାନୀରେ ଆରମ୍ଭ ହୋଇଯାଇଛି ଖଦି ମେଳା । ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୁଲ୍ୟରେ ଏହି ମେଳା ଆୟୋଜିତ ହୋଇଛି । ଏହି ପ୍ରଦର୍ଶନ ମେଳା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଖାରବେଳ ନଗର ପରିସରରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଯାଏ ଚାଲୁ ରହିବା ସହ ପ୍ରତ୍ୟେକ ଦିନ ଅପରାହ୍ନ ୩ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ଏନେଇ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଗ୍ରାମ୍ୟ ଶିଳ୍ପୋଦ୍ୟୋଗୀଙ୍କର ପାରମ୍ପରିକ ଉତ୍ପାଦ ଏହି ମେଳାରେ ପ୍ରଦର୍ଶନ ସହ ବିକ୍ରୟ କରାଯାଉଛି ।
ତେବେ ଏହି ମେଳାରେ ୬୫ଟି ଷ୍ଟଲରେ ଶିଳ୍ପୋଦ୍ୟୋଗୀ ସେମାନଙ୍କର ପାରମ୍ପରିକ ଉତ୍ପାଦ ବିକ୍ରି କରୁଛନ୍ତି । ରାଜ୍ୟର ବିଭିନ୍ନ ସାହାଯ୍ୟପ୍ରାପ୍ତ ହିତାଧିକାରୀ ଓ ଗ୍ରାମର ବୁଣାକାରମାନଙ୍କ ଉତ୍ପାଦର ବଜାର ସୃଷ୍ଟି ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ବିଭିନ୍ନ ଖଦିର ପରିପାଟୀ ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ଯଥା ଘଣା ପେଡା ସୋରିଶ ତେଲ, ମହୁ, କନ୍ଧମାଳ ହଳଦୀ, ବିଭିନ୍ନ ମସଲା, ଆଚାର, ଧୂପ କାଠି, ଚାନ୍ଦୁଆ, ଶାଢୀ, ଗାମୁଛା, ପଞ୍ଜାବୀ, ସାର୍ଟ ପ୍ରଭୃତି ସାମଗ୍ରୀର ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଯେଉଁ ସାମଗ୍ରୀର ସିଧାସଳଖ ଲାଭ ନେଇ ପାରିବେ ରାଜଧାନୀବାସୀ । ଏଥି ସହିତ ଅରଟରେ ସୂତା କଟା, ତନ୍ତରେ ଲୁଗା ବୁଣା ଇତ୍ୟାଦିର ଜୀବନ୍ତ ପ୍ରଦର୍ଶନୀର ଅନୁଭୂତି ସାଉଁଟୁଛନ୍ତି ରାଜଧାନୀବାସୀ ।
ଏହି ଅବସରରେ ଯୋଗ ଦେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, କିଭଳି ଭାବେ ଖଦି ଆମ ସାମାଜିକ ଓ ଅର୍ଥନୈତିକ ଜୀବନରେ ଆଗକୁ ବଢିବ । ଆଉ ଏଥିରେ କିଭଳି ଯୁବକ ଓ ଯୁବତୀଙ୍କୁ ଅଧିକ ଆକର୍ଷଣ କରିହେବ ସେନେଇ ଏହି ମେଳାର ଆୟୋଜନ କରାଯାଇଛି । ବିଶେଷ ଭାବେ ବୁଣାକାର ଓ ବ୍ୟବସାୟୀଙ୍କୁ କିଭଳି ପ୍ରୋତ୍ସାହନ ମିଳିଵ ସେ ନେଇ ଆଲୋଚନା ହୋଇଛି । ଆଉ ଏଥିପାଇଁ ବିଭାଗର ସଭାପତିଙ୍କ ସହ ଏକ ଉତ୍ତମ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି ।