ଭୁବନେଶ୍ବର: ଏଣିକି କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ଟ୍ରାକିଂ । ରାଜ୍ୟରେ ସାଧାରଣ ମାମଲାର କଏଦୀ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସେମାନଙ୍କ ଦେହରେ ଚିପ୍ ତଥା ଜିପିଏସ ଟ୍ରାକିଂ ଲଗାଇ ଘରକୁ ଛଡାଯିବ । ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ୍ ବିଭାଗ । ଜିପିଏସ୍ ଟ୍ରାକର ଲାଗିବା ଦ୍ବାରା କଏଦୀଙ୍କ ସମସ୍ତ ଗତିବିଧି ଓ କାର୍ଯ୍ୟକଳାପ ସମ୍ପର୍କରେ ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ଖବର ରହିବ ବୋଲି ଜେଲ୍ ବିଭାଗ କହିଛି । ଯେଉଁ କଏଦୀଙ୍କ ସଜ୍ଜା ୭ ବର୍ଷରୁ କମ୍ ହୋଇଥିବ, ସେମାନଙ୍କ ଗୋଡରେ ଏହି ଜିପିଏସ୍ ଲାଗିବ ।
ପ୍ରଥମ ପର୍ଯ୍ୟାୟରେ ଝାରପଡା ଓ କଟକ ଚୌଦ୍ୱାରରେ ଏହି ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ । ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ସବୁ ଜେଲରେ ବର୍ତ୍ତମାନ ମାତ୍ରାଧିକ କଏଦୀଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି । ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ କଏଦୀ ବିଚାରଧୀନ ଭାବେ ରହିଛନ୍ତି । ଅନେକ କଏଦୀ ରହିଛନ୍ତି ଯେଉଁମାନେ ସାଧାରଣ ମାମଲାରେ ସମ୍ପୃକ୍ତ ଅଛନ୍ତି ଏବଂ ସେମାନଙ୍କ ବିରୋଧରେ ଲାଗିଥିବା ଦଫା ଅନୁସାରେ ୭ ବର୍ଷରୁ କମ ସଜ୍ଜା ହେବ । ସେମାନଙ୍କ ସଂଖ୍ୟା ଅଧିକ ଥିବାରୁ ଜେଲରେ କଏଦୀ ସଂଖ୍ୟା ବଢ଼ିଯାଉଛି । ଏହି ଦୃଷ୍ଟିରୁ ଛୋଟ ଅପରାଧରେ ସାମିଲ ଥିବା ବିଚାରଧୀନ କଦଦୀଙ୍କୁ ଜେଲରେ ନ ରଖିବା ପାଇଁ ଜେଲ୍ ବିଭାଗ ଚିନ୍ତା କରିଛି । କଏଦୀଙ୍କ ଦେହରେ ଜିପିଏସ ଟ୍ରାକର ଲଗାଇ ସେମାନଙ୍କୁ ଘରକୁ ଛାଡି ଦିଆଯିବ ।
ଏହାମଧ୍ୟ ପଢନ୍ତୁ: ସେବା ପାଇଁ ସମ୍ମାନ, କଲେଜ NSS ପ୍ରୋଗ୍ରାମ ଅଫିସର ହେବେ ପୁରସ୍କୃତ