ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନାରେ ରହିଛି ରାଜ୍ୟ ସରକାରଙ୍କର ଦୁଇ ଦଶନ୍ଧିର ଅଭିଜ୍ଞତା । ସେହି ଅଭିଜ୍ଞତା ରେଳ ଦୁର୍ଘଟଣା ଭଳି ବଡ ବିପର୍ଯ୍ୟୟ ବେଳେ କାମରେ ଆସିଛି । ରେଳ ଦୁର୍ଘଟଣାରେ ୨୭୫ ଲୋକଙ୍କର ଜୀବନ ଯାଇଛି ସତ । କିନ୍ତୁ ରାଜ୍ୟ ସରକାରଙ୍କର ଭିତ୍ତିଭୂମି ଉପରେ ନିବେଶ ୪ ହଜାର ଲୋକଙ୍କର ଜୀବନ ବଞ୍ଚେଇଛି । ଏହା କହିଛନ୍ତି ବାଲେଶ୍ଵର ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଓ ଅନ୍ୟାନ୍ୟ ପଦକ୍ଷେପର ନେତୃତ୍ବ ନେଉଥିବା ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ।
ଅତିରିକ୍ତ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶରେ ମୁଁ ସନ୍ଧ୍ୟା ୮.୩୦ ରେ ଭୁବନେଶ୍ବର ଛାଡିଥିଲି । ସନ୍ଧ୍ୟା ୭.୫୫ ରେ ଭୁବନେଶ୍ବର ଉପକଣ୍ଠରେ ଥିବାବେଳେ ଦୁର୍ଘଟଣା ବାବଦରେ ସୂଚନା ପାଇଥିଲି । ସ୍ପଟରେ ପହଞ୍ଚିବାକୁ ପ୍ରାୟ ୩ ଘଣ୍ଟା ଲାଗିଥିଲା। ଘଟଣାସ୍ଥଳରେ ରାତି ପ୍ରାୟ ୧୧.୩୦ ରେ ପହଞ୍ଚିଲି । ମୋ ପଛେ ପଛେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପହଞ୍ଚିଲେ । ଆମ ପୂର୍ବରୁ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପହଞ୍ଚିସାରିଥିଲେ । ଜିଲ୍ଲା ପ୍ରଶାସନ, ଜିଲ୍ଲାର ଓଡ୍ରାଫ, ଅଗ୍ନିଶମ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେବି । ରାତି ସାଢେ ୧୧ରୁ ୧୨ ଭିତରେ ଅଧିକାଂଶ ଆହତଙ୍କୁ ହସ୍ପିଟାଲକୁ ପଠାଯାଇସାରିଥିଲା । ପ୍ରାୟ ୧୨୦୦ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ଠିକ ସମୟରେ ପଦକ୍ଷେପ ଯୋଗୁଁ ବହୁ ମୂଲ୍ୟବାନ ଜୀବନ ବଞ୍ଚା ଯାଇପାରିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାତିତମାମ ଅପରେସନ ଚାଲିଥିଲା । ଏନଡିଆରଏଫ ବଗି ଭିତରେ ପଶି ମୃତଦେହ ବାହାର କଲେ । ସମ୍ମିଳିତ ଉଦ୍ୟମରେ ଅପରେସନ ସଫଳ ହୋଇଛି । ଭାରତ ସରକାରଙ୍କ ଆରପିଏଫ, ଓଡିଶା ସରକାରଙ୍କ ଜିଆରପି ମଧ୍ୟ ସାମିଲ ହୋଇଥିଲେ । ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଅନ୍ଧାର ଭିତରେ ଉଦ୍ଧାର କାର୍ଯ୍ୟ । ପରବର୍ତ୍ତୀ ସମୟରେ ଏସଆରସିଙ୍କ ପକ୍ଷରୁ ପକ୍ଷରୁ ପାଠ ଯାଇଥିବା ଆସ୍କା ଲାଇଟ ବହୁ କାମରେ ଆସିଥିଲା । ତେଣୁ ଉଦ୍ଧାର କାର୍ଯ୍ୟକୁ ବଳ ମିଳିଥିଲା । ସ୍ଥାନୀୟ ଲୋକ କେବଳ ନିଜକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିନଥିଲେ ବରଂ ଉଦ୍ଧାରକାରୀ ଦଳଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇଥିଲେ । ଦୋକାନୀ ମାନେ ମାଗଣା ଖାଇବାକୁ ଓ ପିଇବାକୁ ଦେଇଥିଲେ । କାହାକୁ ହଇରାଣ କରିନାହାନ୍ତି । ଆହତଙ୍କୁ ନେବା ଲାଗି ରାସ୍ତା ଓ ଗଳି ରାସ୍ତା ସ୍ଥାନୀୟ ଲୋକ ପ୍ରସ୍ତୁତ କରିଥିଲେ । ଦୁର୍ଘଟଣାରୁ ପ୍ରଥମ ଦୁଇରୁ ତିନି ଘଣ୍ଟା ସୁବର୍ଣ୍ଣ ସମୟ । ପ୍ରତ୍ୟେକ ସେକେଣ୍ଡକୁ ଭଲ ଭାବେ ବ୍ୟବହାର ହୋଇଥିଲା ।