ଭୁବନେଶ୍ବର: ଯୁବ ରେଡକ୍ରସ ଓଡ଼ିଶା ନିୟମ ଅନୁସାରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ସଂସ୍ଥାନ, ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ କାର୍ଯ୍ୟକ୍ଷମ ହେବା ଆବଶ୍ୟକ । କିନ୍ତୁ ରାଜ୍ୟର ୩୩୪ଟି ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ୟୁନିଟ୍ ଖୋଲାଯାଇନି । ଯଦିଓ କିଛି କଲେଜରେ ଖୋଲାଯାଇଛି ତାହା ସଠିକ୍ ଭାବେ କାର୍ଯ୍ୟ କରୁନାହିଁ । ଏନେଇ ବିବରଣୀ ମିଳିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି ।
ଶିକ୍ଷାନୁଷ୍ଠାନରେ ଯୁବ ରେଡ୍କ୍ରସ ୟୁନିଟ୍ ଖୋଲିବା ସହ କାର୍ଯ୍ୟକ୍ଷମ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ୩୩୪ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ଯୁବ ରେଡକ୍ରସ ୟୁନିଟ, ରାଜ୍ୟ ଶାଖା ପକ୍ଷରୁ କାଉସେଲରଙ୍କ ଦକ୍ଷତା ବୃଦ୍ଧି ସହ ତାଲିମ ପ୍ରଦାନ କରାଯିବ । ଜଣେ କାଉନସେଲରଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୩ ବର୍ଷ ଏବଂ ସର୍ବାଧିକ ୫ ବର୍ଷ ରହିବ । ପ୍ରତ୍ୟେକ ୟୁନିଟରେ ସର୍ବନିମ୍ନ ୫୦ ଛାତ୍ରଛାତ୍ରୀ ସ୍ବେଚ୍ଛାସେବୀ ଭାବେ ପଞ୍ଜିକୃତ ହେବେ । ମାସକୁ ଅତିକମରେ ଥରେ ସ୍ବାସ୍ଥ୍ୟ, ସେବା ଏବଂ ବନ୍ଧୁତ୍ବର ପ୍ରୋତ୍ସାହନ ପାଇଁ ନିୟୋଜିତ ହେବେ ।
ପ୍ରାପ୍ତ ସୂଚନା ମୁତାବକ, ଯୁବ ରେଡ୍କ୍ରସ ୟୁନିଟ ନଥିବା ୩୩୪ଟି ମହାବିଦ୍ୟାଳୟ ମଧ୍ୟରେ ଅନୁଗୋଳ ଜିଲ୍ଲାର ୭ଟି ମହାବିଦ୍ୟାଳୟ ରହିଥିବା ବେଳେ ବାଲେଶ୍ବର ଜିଲ୍ଲାରେ ୩୭, ବରଗଡ଼ ଜିଲ୍ଲାରେ ୪ଟି, ଭଦ୍ରକ ଜିଲ୍ଲାରେ ୧୯ଟି, ବଲାଙ୍ଗୀର ଜିଲ୍ଲାରେ ୯ଟି, କଟକ ଜିଲ୍ଲାରେ ୧୮ଟି, ଦେବଗଡ଼ ଜିଲ୍ଲାରେ ୩ଟି, ଢେଙ୍କାନାଳ ଜିଲ୍ଲାରେ ୯ଟି, ଗଜପତି ଜିଲ୍ଲାରେ ୪ଟି, ଗଞ୍ଜାମ ଜିଲ୍ଲାରେ ୨୮, ଜଗତସିଂହପୁର ଜିଲ୍ଲାରେ ୧୧ଟି, ଯାଜପୁର ଜିଲ୍ଲାରେ ୨୫ଟି, କଳାହାଣ୍ଡି ଜିଲ୍ଲାରେ ୧୧ଟି, କନ୍ଧମାଳ ଜିଲ୍ଲାରେ ୮ଟି, କେନ୍ଦ୍ରାପଡ଼ା ଜିଲ୍ଲାରେ ୨୮ଟି କଲେଜ ରହିଛି ।