ଭୁବନେଶ୍ବର:ଜୁଲାଇ ୭ ସୁଦ୍ଧା UG ରେଜଲ୍ଟ ପ୍ରକାଶ କରିବାକୁ ସବୁ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । କମନ୍ ପିଜି ପ୍ରବେଶିକା ପରୀକ୍ଷା, ପିଜି ଆଡ଼ମିଶନ ତଥା କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବାରେ ଯେପରି ରାଜ୍ୟ ଛାତ୍ରଛାତ୍ରୀଙ୍କ ଅସୁବିଧା ନହୁଏ ସେଥିଲାଗି ଜୁଲାଇ ୭ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି କଲେଜରେ କୋର୍ସ ସରିନାହିଁ ତେବେ ଆବଶ୍ୟକ ସ୍ଥଳେ ଏକ୍ସଟ୍ରା କ୍ଲାସ କରି କୋର୍ସ ସାରିବାକୁ ନିର୍ଦ୍ଦେଶ ରହିଛି । ଏଥିସହିତ ବ୍ୟାକ ପେପର ପରୀକ୍ଷା ମଧ୍ୟ ସମୟ ପୂର୍ବରୁ ସାରିବାକୁ କହିଛି ଉଚ୍ଚଶିକ୍ଷା ବିଭାଗ ।
ଏପଟେ ଦେଖାଯାଉଛି, ଅନ୍ୟ ରାଜ୍ୟରେ ଥିବା ବଡ ବଡ ବିଶ୍ଵବିଦ୍ୟାଳୟମାନଙ୍କରେ ଆଡ଼ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ଆମ ରାଜ୍ୟରେ ପିଲାମାନଙ୍କର ପରୀକ୍ଷା ଚାଲୁ ରହିଥାଏ । ତେବେ ଏହାକୁ ନେଇ ଅନେକ ସମୟରେ ପିଲାମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥାନ୍ତି ।
ସୂଚନା ଅନୁଯାୟୀ, ଫେବୃୟାରୀ ପହିଲା ଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ଯାହା ଆସନ୍ତା ୧୦ ତାରିଖରେ ଶେଷ ହେବ । ଆସନ୍ତା ମାସ ପହିଲା ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପିଲାଙ୍କର ଥିଓରୀ ପରୀକ୍ଷା । ଚଳିତ ବର୍ଷ ୩,୩୮,୭୪୭ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେଥିରୁ କଳାରେ ୨,୧୯,୧୧୦ ଥିବା ବେଳେ ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୧୧୦ ଜଣ ରହିଛନ୍ତି ।