ଭୁବନେଶ୍ବର: କୋରୋନା ପରେ ଡରାଉଛି ଏଚ3ଏନ2 ଭୂତାଣୁ । ଏହି ଭାଇରସ ଯୋଗୁଁ ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିପାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 59 ଏଚ3ଏନ2 ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ତପ୍ତର ହୋଇଉଠିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏନେଇ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖି ବିଭିନ୍ନ ମେଡିକାଲ କଲେଜ ଏବଂ ମୁଖ୍ୟ ଚିକିତ୍ସାଳୟକୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ।
ସମସ୍ତ ମେଡିକାଲ କଲେଜର ଅଧିକ୍ଷକ, କ୍ୟାପିଟାଲ୍ ହସପିଟାଲର ନିର୍ଦ୍ଦେଶକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ କୁହାଯାଇଛି ଯେ, ଜ୍ବର ଥଣ୍ଡା ଜନିତ ଭଳି ରୋଗୀଙ୍କ ସଂପର୍କରେ ପ୍ରାଥମିକ ସ୍ତରରେ ତଥ୍ୟ ସଂଗ୍ରହ କରାଯିବ । ସର୍ଭେଲାନ୍ସ ବଢାଇବାକୁ ଗୁରୁତ୍ବ ଦିଆଯାଉ । ଆବଶ୍ୟକ ପଡ଼ିଲେ ରୋଗୀଙ୍କ ନମୁନା କୋଭିଡ ପରୀକ୍ଷା ପାଇଁ ଆରଏମଆରସିକୁ ପଠାଯାଉ ।
କୋରୋନା ନିୟମ ପାଳିବାକୁ ଗୁରୁତ୍ବ:ରାଜ୍ୟରେ ସଂକ୍ରମଣ ବଢିବା ପରେ କୋରୋନା ମାମଲା ବୃଦ୍ଧି ଉପରେ ନଜର ରଖିବା ସହ ଟେଷ୍ଟ, ଟ୍ରାକ୍, ଚିକିତ୍ସା, ଟୀକାକରଣ ଓ କୋରୋନା ନିୟମ ପାଳନ ଉପରେ ଗୁରୁତ୍ବ ଦିଆଯାଇଛି । ହାତ ଧୋଇବା ଓ କୋରୋନା ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି । ଔଷଧ, ଅକ୍ସିଜେନ୍ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ଷ୍ଟକ୍ ଉପରେ ନିରନ୍ତର ନଜର ରଖିବା ସହ ଆଇସିୟୁ ପ୍ରସ୍ତୁତ ରଖାଯାଉ ବୋଲି ସମସ୍ତ ମେଡିକାଲ କଲେଜ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।