ଭୁବନେଶ୍ବର: ନୀତିଗତ ନିଷ୍ପତ୍ତି ନିମନ୍ତେ ତଥ୍ୟର ଉପଯୋଗ ଏବଂ ଏହି ଆଧାରରେ ପ୍ରମାଣ ଭିତ୍ତିକ ଗବେଷଣାକୁ ଆଗେଇ ନେବା ପାଇଁ ପଦକ୍ଷେପ । ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଏବଂ ଚିକାଗୋ ଟ୍ରଷ୍ଟ ବିଶ୍ବବିଦ୍ୟାଳୟ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ଏବଂ ଚିକାଗୋ ବିଶ୍ବବିଦ୍ୟାଳୟର ପ୍ରଫେସର ମାଇକେଲ ଗ୍ରୀନଷ୍ଟୋନଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ବାକ୍ଷରିତ ହୋଇଛି ।
ନୀତିଗତ ନିଷ୍ପତ୍ତିକୁ ତ୍ବରାନ୍ବିତ କରିବା ସହ ଅଭିନବୀକରଣକୁ ଆଗେଇ ନେବା ନିମନ୍ତେ ତଥ୍ୟର ବ୍ୟବହାର ପାଇଁ ଓଡ଼ିଶା ସରକାର ୟୁସିଟି ସହ ପାଞ୍ଚ ବର୍ଷିଆ ସହଭାଗିତା କରିଛନ୍ତି । ଏହି କ୍ରମରେ ଭୁବନେଶ୍ବରରେ ଏକ ଡାଟା, ପଲିସି ଆଣ୍ଡ ଇନୋଭେସନ ସେଣ୍ଟର ପାଇଁ ଅନୁଦାନ ଚୁକ୍ତିନାମା ସମ୍ପର୍କରେ ଘୋଷଣା କରାଯାଇଛି । ଶକ୍ତି, ପରିବେଶ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଳ ଏବଂ ପରିମଳ କ୍ଷେତ୍ରରେ ପ୍ରମାଣ ଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବ । ସମ୍ପ୍ରତି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡିକରେ ତଥ୍ୟଭତ୍ତିକ ସୁଶାସନକୁ ସକ୍ଷମ କରିବ । ଏଥି ପାଇଁ ଏକ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଡାଟା ଇଣ୍ଟରଫେସ ବିକଶିତ କରିବାକୁ ଚଳିତ ବର୍ଷ ଜାନୁଆରି ମାସରେ ଉଭୟ ପକ୍ଷ ମଧ୍ୟରେ ଡିପିଆଇସି ପ୍ରତିଷ୍ଠା ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।
ଏହାବି ପଢନ୍ତୁ- କୋରାପୁଟରେ ସମ୍ଭ୍ରାନ୍ତ ସିବେଟ କ୍ୟାଟ କଫି, କପେ କଫିର ଦାମ ୩୫୦୦ ଟଙ୍କା
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଉପକ୍ରମରେ ବୈଷୟିକ ଜ୍ଞାନକୌଶଳର ବହୁଳ ଉପଯୋଗକୁ ଗୁରୁତ୍ବ ଦେଇଆସୁଛନ୍ତି । ଏହି ବୁଝାମଣା ରାଜ୍ୟ ଶାସନ ବ୍ୟବସ୍ଥାକୁ ଅଧିକ ପ୍ରଶସ୍ଥ ଓ ସ୍ବଚ୍ଛ କରିବ । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ସରକାର ପ୍ରତିବଦ୍ଧ ଏବଂ ଡିପିଆଇସି ପ୍ରତିଷ୍ଠା ଏହାର ପ୍ରମାଣ । ସାରା ବିଶ୍ୱର ବିଦ୍ୱାନ ଓ ଗବେଷକମାନେ ଓଡ଼ିଶାରେ ଗବେଷଣା କରି ସେମାନଙ୍କ ଅନୁସନ୍ଧାନକୁ ସମଗ୍ର ବିଶ୍ବରେ ପହଞ୍ଚାଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହ ତଥ୍ୟଭିତ୍ତିକ ନୀତି ନିର୍ଦ୍ଧାରଣ ରାଜ୍ୟ ପାଇଁ ଯଥେଷ୍ଟ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।
ଚିକାଗୋ ବିଶ୍ବବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ମାଇକେଲ ଗ୍ରୀନଷ୍ଟୋନ କହିଛନ୍ତି ଯେ, ଅଭିନବ ଚିନ୍ତାଧାରାର ପରୀକ୍ଷଣ ପାଇଁ ତଥ୍ୟ ବ୍ୟବହାର କରିବାରେ ଓଡ଼ିଶା ସବୁବେଳେ ଆଗରେ ରହିଆସିଛି । ୫ ବର୍ଷ ପୂର୍ବେ ଆମେ ଓଡ଼ିଶା ସରକାରଙ୍କ ସହ ମିଶି ଶିଳ୍ପସମୂହ ପାଇଁ ଏକ ତଥ୍ୟ ଭିତ୍ତିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ । ତେଣୁ ଏହା ଏକ ପ୍ରକାରରେ ଆମ ପାଇଁ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ । ତଥ୍ୟ ଓ ପ୍ରମାଣ ଭିତ୍ତିକ ନୀତି ନିର୍ଦ୍ଧାରଣକୁ ଆହୁରି ଆଗକୁ ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମେ ଉତ୍ସାହିତ ।