ଓଡିଶା

odisha

ETV Bharat / state

ହିଂସା ପ୍ରବଣ ମଣିପୁର; ପ୍ରତିଟି ମୁହୂର୍ତ୍ତର ଅନୁଭୂତି ବଖାଣିଲେ ଓଡ଼ିଆ ଛାତ୍ରଛାତ୍ରୀ - ଓଡ଼ିଶା ଫେରିଲେ ୧୦ ଛାତ୍ରଛାତ୍ରୀ

ମଣିପୁର ହିଂସା ମଧ୍ୟରୁ ଓଡ଼ିଶା ଫେରିଲେ ୧୦ ଛାତ୍ରଛାତ୍ରୀ । ଓଡ଼ିଶା ସରକାରଙ୍କ ଉଦ୍ୟମ ବଳରେ ମଣିପୁରରୁ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ଏହି ଛାତ୍ରଛାତ୍ରୀ । ଏବେ ମଧ୍ୟ ଆହୁରି ୧୯ ଜଣ ଛାତ୍ରଛାତ୍ରୀ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ଅଧିକ ପଢ଼ନ୍ତୁ

ମଣିପୁରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ
ମଣିପୁରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ

By

Published : May 7, 2023, 6:58 PM IST

ମଣିପୁରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ହିଂସା ପ୍ରବଣ ମଣିପୁରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ । ଇମ୍ଫାଲରେ ଥିବା ସେଣ୍ଟ୍ରାଲ କୃଷି ୟୁନିଭର୍ସିଟିରେ ପାଠ ପଢୁଥିବା ଓଡ଼ିଶାର ୧୦ ଛାତ୍ରଛାତ୍ରୀ ଆଜି ଜନ୍ମମାଟିକୁ ଫେରିଛନ୍ତି । ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ଭାବରେ ଛାତ୍ରଛାତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଭୁବନେଶ୍ବର ଫେରିବା ପରେ ସେଠାକାର ପ୍ରତିଟି ମୁହୂର୍ତ୍ତର ଅନୁଭୂତି ବଖାଣିଛନ୍ତି ଓଡ଼ିଶା ଫେରିଥିବା ଛାତ୍ରଛାତ୍ରୀ । ତେବେ ସେଠାରେ ବାକି ରହିଯାଇଥିବା ୧୯ ଜଣ କିପରି ଫେରିବେ ସେନେଇ ଆଲୋଚନା ଜାରି ରହିଛି ।

ତେବେ ଓଡ଼ିଶା ଫେରିଥିବା ଛାତ୍ରଛାତ୍ରୀ କହିଛନ୍ତି, "ଏଭଳି ଘଟଣା ଦେଖିବା ଆମ ପାଇଁ ସମ୍ପୂର୍ଣ୍ଣ ଭାବରେ ନୂଆ ଥିଲା । ଘରଠାରୁ ଏତେ ଦୂରରେ ଥିବାରୁ ଭୟ ରହିଥିଲା । ନା କୌଣସି ମୋବାଇଲ ବ୍ୟବହାର, ନା ବାହାରକୁ ଯିବାକୁ ଦେଉଥିଲେ । କେବଳ ଗୋଟିଏ ଘର ଭିତରେ ଭାତ ଡାଲି ଖାଇ ରହିଥିଲୁ । ହଷ୍ଟେଲ ଚାରି ପାଖରେ ବୋମା ବର୍ଷା, ଗୁଳି ମାରିବା ଶବ୍ଦ ଆଦି ଶୁଭୁଥିଲା । ଆମର ଆଉ ଆଶା ନଥିଲା ଓଡ଼ିଶା ଫେରି ପାରିବୁ ବୋଲି । କିନ୍ତୁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଦ୍ବାରା ପୁଣିଥରେ ଫେରି ଆସିଛୁ ଘରକୁ । କେବଳ ଟିଭି ମୋବାଇଲରେ ଦେଖିଥିଲୁ ଋଷ- ୟୁକ୍ରେନର ଘଟଣାବଳୀ । ଯେଭଳି ସ୍ଥିତି ଆମେ ମଣିପୁରରେ ଦେଖିବାକୁ ପାଇଥିଲୁ ।"

ପ୍ରକାଶ ଥାଉ କି, ମଣିପୁର ହିଂସାରେ ଅନେକଙ୍କର ମୃତ୍ୟୁ ଘଟିଛି । ଏପଟେ ହିଂସା କାଣ୍ଡକୁ ନେଇ ଭୟରେ ଏକ ହଜାରରୁ ଅଧିକ ଲୋକ ମଣିପୁର ଛାଡ଼ି ଅନ୍ୟ ରାଜ୍ୟକୁ ପଳାଇଛନ୍ତି । ରାଜ୍ୟରେ ସେନା, ରାଇଫଲସ୍ ଏବଂ ଆକ୍ସନ ଫୋର୍ସ ନିୟୋଜିତ ହେବା ପରେ ମଣିପୁରର ହିଂସାକାଣ୍ଡ ପରିସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି । ଶନିବାର ଇମ୍ଫାଲରେ ଦୋକାନ ବଜାର ଖୋଲିବା ସହ ରାସ୍ତାରେ ଯାନବାହାନ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା । ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା । ଅଣଆଦିବାସୀ ସମ୍ପ୍ରଦାୟ କୁହାଯାଉଥିବା ମେଇତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାନ୍ୟତା ଦାବି କରାଯିବା ପରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲ । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟ । ତେବେ ରାଜ୍ୟର ୯୦ ପ୍ରତିଶତ ଅଞ୍ଚଳରେ ଆଦିବାସୀମାନ ବସବାସ କରୁଥିବାବେଳେ ମେଇତିମାନେ ୬୦ ଆସନ ବିଶିଷ୍ଟ ବିଧାନସଭାରେ ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details