ଓଡିଶା

odisha

ETV Bharat / state

ନୂଆ ରୂପରେ ଫେରିଲା ଠିକା ବ୍ୟବସ୍ଥା, ନିଯୁକ୍ତି ହେବେ 20ହଜାର ଶିକ୍ଷକ - ନୂଆ ରୂପରେ ଫେରିଲା ଠିକା ବ୍ୟବସ୍ଥା

ଗତବର୍ଷ ଅକ୍ଟୋବର 16 ତାରିଖରେ କ୍ୟାବିନେଟରେ ମୋହର ମାରିଥିଲେ ରାଜ୍ୟ ସରକାର । ଭିଡିଓ ଜାରି କରି ଘୋଷଣା କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ ହୋଇଗଲା ବୋଲି କହିଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହୋଇଥିବା ଘୋଷଣାଙ୍କୁ ଢ଼ୋକି ଦେଲେ ସରକାର । ଅଧିକ ପଢନ୍ତୁ

ନୂଆ ରୂପରେ ଫେରିଲା ଠିକା ବ୍ୟବସ୍ଥା, ନିଯୁକ୍ତି ହେବେ 20 ହଜାର ଶିକ୍ଷକ
ନୂଆ ରୂପରେ ଫେରିଲା ଠିକା ବ୍ୟବସ୍ଥା, ନିଯୁକ୍ତି ହେବେ 20 ହଜାର ଶିକ୍ଷକ

By ETV Bharat Odisha Team

Published : Aug 23, 2023, 11:04 PM IST

ନୂଆ ରୂପରେ ଫେରିଲା ଠିକା ବ୍ୟବସ୍ଥା, ନିଯୁକ୍ତି ହେବେ 20 ହଜାର ଶିକ୍ଷକ

ଭୁବନେଶ୍ବର: ରାଜ୍ୟରେ ପୁଣି ଥରେ ନୂଆ ରୂପରେ ଫେରିଛି ଠିକା ବ୍ୟବସ୍ଥା । 10 ମାସରେ ନିଜ ନିଜ ନିଷ୍ପତ୍ତିକୁ ଢୋକିଦେଲେ ରାଜ୍ୟ ସରକାର । ନିଯୁକ୍ତି ନିୟମାବଳୀରେ ସଂଶୋଧନ କରି 20 ହଜାର କନିଷ୍ଠ ଶିକ୍ଷକଙ୍କୁ ଦେବେ ନିଯୁକ୍ତି । ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଜିଲ୍ଲା ପରିଷଦ ଅଧିନରେ ରହିବ କନିଷ୍ଠ ଶିକ୍ଷକ ନିଯୁକ୍ତି । ଐତିହାସିକ ନିଷ୍ପତ୍ତି କହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଭାଗୀୟ ମନ୍ତ୍ରୀ । ଠିକା ନିଯୁକ୍ତି ଉଚ୍ଛେଦ ପରେ ପୁଣି ବିଜ୍ଞପ୍ତିକୁ ନେଇ ନୂଆ ବୋତଲରେ ପୁରୁଣା ମଦ କହି ସରକାରକୁ ଘେରିଲେ ବିରୋଧୀ ।

ଗତବର୍ଷ ଅକ୍ଟୋବର 16 ତାରିଖରେ କ୍ୟାବିନେଟରେ ମୋହର ମାରିଥିଲେ ରାଜ୍ୟ ସରକାର । ଭିଡିଓ ଜାରୀ କରି ଘୋଷଣା କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ ହୋଇଗଲା ବୋଲି କହିଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହୋଇଥିବା ଘୋଷଣାଙ୍କୁ ଢ଼ୋକି ଦେଲେ ସରକାର । ଆଉ ଏବେ 10 ମାସରେ ନିଜ ନିଷ୍ପତିରୁ ବିଚ୍ୟୁତ ହେଲେ ରାଜ୍ୟ ସରକାର । ରାଜ୍ୟରେ ପୁଣି ଠିକା ନିଯୁକ୍ତି ବ୍ୟବସ୍ଥା ନୂଆ ରୂପରେ ଚାଲିବ । ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ । କିନ୍ତୁ ଭିନ୍ନ ଢଙ୍ଗରେ ଏହି କାମ କରିଛନ୍ତି ରାଜ୍ୟ ସରକାର । କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏଣିକି ଜିଲ୍ଲା ପରିଷଦ ଅଧିନରେ ରହିବ କନିଷ୍ଠ ଶିକ୍ଷକ ନିଯୁକ୍ତି ।

ଏହାବି ପଢନ୍ତୁ- Odisha Junior Teachers Recruitment: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଜିଲ୍ଲା ପରିଷଦ ସ୍ତରରେ ଏକ ଚୟନ କମିଟି ଗଠନ କରାଯିବ । ଏହାର ଅଧ୍ୟକ୍ଷ ରହିବେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଳା ପ୍ରକଳ୍ପ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ କମିଟିରେ ରହିବେ । ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ଜାରି ହୋଇଛି ବିଜ୍ଞପ୍ତି । ବିଜ୍ଞପ୍ତିରେ ପ୍ରଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଶିକ୍ଷକମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଜିଲ୍ଲା ପରିଷଦ ଅଧୀନରେ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଥିବା ବିଦ୍ୟାଳୟରେ ଠିକାରେ ନିଯୁକ୍ତି ପାଇବେ । ପ୍ରାୟ 20 ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବିଭାଗ ଯୋଜନା ରଖିଛି ।

ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ରାଜ୍ୟରେ ଠିକା ବ୍ୟବସ୍ଥାକୁ ଉଠାଇ ଦେବା କଥା ମନ୍ତ୍ରୀ ବିଧାନସଭାରେ କହିଥିଲେ । କିନ୍ତୁ ପୁଣି ବିଜ୍ଞପ୍ତି ବାହାର କରିଛନ୍ତି ଦୁର୍ଭାଗ୍ୟର କଥା । ରାଜ୍ୟରେ 2 ଲକ୍ଷ 36 ହଜାର ପଦବୀ ଫାଙ୍କା ପଡିଛି । ରାଜ୍ୟର ସବୁ ସ୍କୁଲରେ ଶିକ୍ଷକ ନାହାନ୍ତି । ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କଥା । ରାଜ୍ୟ ସରକାର ଚାକିରୀ ନାଁରେ ଠକୁଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏପରି ଠିକା ନିଯୁକ୍ତି ବାହାର କରିଛନ୍ତି ।

ସେହିପରି ଠିକା ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ କହିଛନ୍ତି ଯେ, ଶିକ୍ଷାର ପ୍ରସାର ପାଇଁ କେନ୍ଦ୍ର ସରକାର ଯେଉଁ ଅର୍ଥ ଦିଅନ୍ତି, ସେଥିରେ ଠିକା ବ୍ୟବସ୍ଥା ପାଇଁ ନଥାଏ । ରାଜ୍ୟ ସରକାର 27 ପ୍ରକାର ଠିକା ବ୍ୟବସ୍ଥା କରିଛନ୍ତି । ସମସ୍ତଙ୍କୁ ସ୍ଥାୟୀ କରିଦେଲୁ ବୋଲି ଯାହା ରାଜ୍ୟ ସରକାର କହିଥିଲେ, ତାହା ସମ୍ପୂର୍ଣ୍ଣ ମିଛ ଥିଲା । ଏହିପାଇଁ ବିଭିନ୍ନ ପ୍ରକାର ଶିକ୍ଷକ କୋର୍ଟକୁ ଯାଇଛନ୍ତି । ପ୍ରଚାର କରିବା ପାଇଁ ମିଛ କଥା ଜୋରଦାର କହୁଛନ୍ତି ରାଜ୍ୟ ସରକାର । କିନ୍ତୁ କାର୍ଯ୍ୟକାରୀ କରିବା ବେଳେ ସେଇ ନୂଆ ବୋତଲ ପୁରୁଣା ମଦ ।

ଅଭିଯୋଗ ପରେ ଜବାବ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ପ୍ରମୂଖ ଶାସନ ସଚିବ ଅଶ୍ୱଥି ଏସ । ମନ୍ତ୍ରୀ କହିଛନ୍ତି ଯେ, ନୂଆ ପ୍ରକ୍ରିୟାରେ କେଉଁମାନେ ଯୋଗ୍ୟ ହେବେ ଓସେପା କାର୍ଯ୍ୟ କରୁଛି । ଟର୍ମ ଓ କଣ୍ଡିସନ କ’ଣ ରହିବ ଓସେପା କାର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଧନ୍ୟବାଦ ଦେଉଛି । ଅନ୍ୟପଟେ 2016 ରୁ ନିଯୁକ୍ତି ବନ୍ଦ ଥିଲା । 7 ବର୍ଷ ପରେ ଏହି ନିଯୁକ୍ତି ହେଉଥିବାରୁ ବିନା ବାଧା ବିଘ୍ନରେ ଏହି ପ୍ରକ୍ରିୟା ଶେଷ କରିବୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଗଣଶିକ୍ଷା ସଚିବ । ଏଥି ସହ ନିଯୁକ୍ତି ସମ୍ପର୍କରେ ଆବେଦନକାରୀ କେବଳ ଓସେପା ୱେବସାଇଟରୁ ହିଁ ତଥ୍ୟ ନିଅନ୍ତୁ । ଅନ୍ୟ କୌଣସି ୱେବସାଇଟକୁ ଫଲୋ କରନ୍ତୁନି ବୋଲି ଅପିଲ କରିଛନ୍ତି ସଚିବ । ତେବେ ନୂଆ ପ୍ରଣାଳୀରେ ଠିକା ନିଯୁକ୍ତି ନେଇ ଉଭୟ ଉତ୍ତର ରଖିନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details