ଭୁବନେଶ୍ବର: ପ୍ରଥମ ଥର ଲାଗି ରାଜ୍ୟର ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଛି ଅନୁକମ୍ପା ରାଶି । ପରିବହନ ମନ୍ତ୍ରୀ ଟୁକୁନି ସାହୁ ୩ ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ ପକ୍ଷରୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ୩ ମୃତ ଡ୍ରାଇଭରମାନେ ହେଉଛନ୍ତି ପଙ୍କଜ କୁମାର ପାତ୍ର, କୁଶ କୁମାର ସାହୁ, ନେତ୍ରାନନ୍ଦ ମହାରଣା । ସମସ୍ତ ଡ୍ରାଇଭରଙ୍କ ମୃତ୍ୟୁ ସ୍ବାଭାବିକ ଭାବେ ହୋଇଥିବାରୁ ସରକାରୀ ଘୋଷଣା ଅନୁଯାୟୀ ୨ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି । ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିୟମ ରହିଛି ।
ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ପରିବହନ କମିଶନର ଲାଲ ମୋହନ ସେଠୀ, ଯୁଗ୍ମ ପରିବହନ କମିଶନର ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।
ପରିବହନ ମନ୍ତ୍ରୀ ଟୁକିନି ସାହୁ କହିଛନ୍ତି, "ରାଜ୍ୟର ଡ୍ରାଇଭରମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିଲେ । କଲ୍ୟାଣ ବୋର୍ଡ ଗଠନ ସହ ଡ୍ରାଇଭରଙ୍କ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ଲାଗି ଦାବି ରହିଥିଲା । ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରାଯାଇଛି । ଏହାସହ ଡ୍ରାଇଭରଙ୍କ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି । ପ୍ରାଥମିକ ଭାବେ ଆଜି ୩ ଜଣ ମୃତକଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ମୂଳକ ସହାୟତା ଦିଆଯାଇଛି । ଆଗାମୀ ଦିନରେ ବାକି ଥିବା ଅନ୍ୟ ଦାବି ପୂରଣ କରାଯିବ । ସେହିପରି ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ଅନଲାଇନ ମାଧ୍ୟମରେ କରାଯିବ ।