ଭୁବନେଶ୍ବର: ଘାସ ମରା ପାଇଁ ବ୍ୟବହାର କରାଯାଉଥିବା ବିଷାକ୍ତ ହର୍ବିସାଇଡ୍ ପାରାକେୱଟକୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର । ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍ ପାରାକେୱଟ ଆଉ ବ୍ୟବହାର ହେବ ନାହିଁ । ଜମିରେ ତୃଣନାଶକ ଭାବେ ଏହାର ବ୍ୟାପକ ବ୍ୟବହାର ହୁଏ । ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ମଣିଷ ଓ ପ୍ରାଣୀ ଉପରେ ଏହାର ରାସାୟନିକ କୁପ୍ରଭାବକୁ ରୋକିବା ପାଇଁ ଏହାକୁ ନିଷିଦ୍ଧ କରାଯାଇଛି । ବିଶେଷଜ୍ଞଙ୍କ ମତାମତ ଅନୁଯାୟୀ ନିଷେଧାଜ୍ଞା ହୋଇଛି ।
ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି । ନିଷେଧାଜ୍ଞାର ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ । ଏହା ସହିତ ଏହି ବିଷାକ୍ତ ରାସାୟନିକ ପଦାର୍ଥର ବିକ୍ରୟ, ମହଜୁଦ, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ସାରା ରାଜ୍ୟରେ ନିଷିଦ୍ଧ କରାଯାଇଛି । କୀଟନାଶକ ଅଧିନିୟମ, ୧୯୬୮ର ନିୟମ ଅନୁଯାୟୀ ନିଷେଧାଜ୍ଞା ପ୍ରାଥମିକ ଭାବେ ଦୁଇ ମାସ ପାଇଁ ବଳବତ୍ତର ରହିବ । ଗବେଷଣା ପ୍ରତିଷ୍ଠାନ ଏବଂ ଅନ୍ୟ ଅଂଶୀଦାରଙ୍କଠାରୁ ଏ ସମ୍ପର୍କରେ ବିଜ୍ଞାନଭିତ୍ତିକ ମତାମତ ପାଇବା ପରେ ରାଜ୍ୟ ସରକାର ଓଡ଼ିଶାରେ ଏହି ରାସାୟନିକ ପଦାର୍ଥର ସ୍ଥାୟୀ ନିଷେଧାଦେଶ ପାଇଁ ଭାରତ ସରକାରଙ୍କ ନିକଟରେ ପ୍ରସ୍ତାବ ଦେବେ ।
‘ମୋ ସରକାର’ ଉପକ୍ରମ ଅଧିନରେ ହିତାଧିକାରୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବିଷାକ୍ତ ତୃଣନାଶକ ବ୍ୟବହାର କରି ଆଉ ଯେପରି ମଣିଷ ଜୀବନହାନି ନହୁଏ ସେଥିପାଇଁ ପାରାକ୍ବେଟ୍ ନିଷିଦ୍ଧ କରିବା ବିଷୟରେ ଯାଞ୍ଚ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ପରାମର୍ଶ ଦେଇଥିଲେ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଅଧିକୃତ ବିକ୍ରେତାଙ୍କ ଦ୍ୱାରା କୀଟନାଶକ ଏବଂ କୃଷି ରାସାୟନିକ ଦ୍ରବ୍ୟର ବିକ୍ରି ନିମନ୍ତେ ରାଜ୍ୟ ସରକାର ବର୍ତ୍ତମାନ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକୃତ ଅଧିକାରୀ, ସଂପୃକ୍ତ ସରକାରୀ ବିଭାଗ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କୃଷି ଗବେଷଣା ଅନୁଷ୍ଠାନର ବୈଜ୍ଞାନିକମାନଙ୍କ ପ୍ରେସକ୍ରିପ୍ସନ୍କୁ ବାଧ୍ୟତାମୂଳକ କରିଛନ୍ତି ।